ଅଗଷ୍ଟ ମାସ ୮ ତାରିଖରେ ‘ଓଡ଼ିଶା ଶିକ୍ଷା ସମ୍ମାନ’

0

(ସରୋଜ ରାଉତ) ଭୁବନେଶ୍ୱର: ଚଳିତ ଅଗଷ୍ଟ ମାସ ୮ ତାରିଖରେ ‘ଓଡ଼ିଶା ଶିକ୍ଷା ସମ୍ମାନ’ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଅନୁଷ୍ଠିତ ହେବ।
ଆଇସିଏଫ୍‌ଏଆଇ ବିଶ୍ବବିଦ୍ୟାଳୟ କୁଳାଧିପତି, କିଟ୍‌ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳାଧିପତି, ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ତଥା ତୁର୍କମେନିସ୍ଥାନରେ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ପ୍ରଫେସର ରାମପାଳ ଯାଦବ ଏବଂ ଓଡ଼ିଶାର ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ତଥା କବି ଓ ଇତିହାସ ଗବେଷକ ଡ. ଅରୁଣ କୁମାର ସାହୁ ଏହି ସମାରୋହରେ ଅତିଥି ଭାବେ ଯୋଗ ଦେବେ।
ଅଗଷ୍ଟ ୮ ତାରିଖ ସଂଧ୍ୟା ୬ଟାରେ ଜୟଦେବ ଭବନରେ ଆୟୋଜିତ ହେବାକୁ ଥିବା ଏହି ସମାରୋହରେ ପ୍ରାକ୍‌-ବିଦ୍ୟାଳୟ ଠାରୁ ବିଶ୍ୱବିଦ୍ୟାଳୟ ପର୍ୟ୍ୟନ୍ତ ପ୍ରାୟ ୨୦ଟି ବିଭାଗରେ ରାଜ୍ୟର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ମାନିତ କରାଯିବ । ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ସ୍ବତନ୍ତ୍ର ଭାବେ ଶିକ୍ଷାକ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଅନୁଷ୍ଠାନଗୁଡିକୁ ସମ୍ମାନିତ କରାଯିବ। ଭବିଷ୍ୟତ ନାଗରିକ ଗଠନରେ ଶିକ୍ଷାର ଭୂମିକା ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏହି କ୍ଷେତ୍ରରେ ବିଶେଷ ସଫଳତା ଅର୍ଜନ କରିଥିବା ଅନୁଷ୍ଠାନଗୁଡ଼ିକୁ ଚିହ୍ନଟ କରି ପ୍ରୋତ୍ସାହିତ କରିବା ଏ ଉତ୍ସବର ପ୍ରମୁଖ ଉଦ୍ଦେଶ୍ୟ । ପ୍ରାୟ ୧୬୦ଟି ଅନୁଷ୍ଠାନ ଠାରୁ ନାମାଙ୍କନ ଗ୍ରହଣ କରାଯାଇଥିବା ବେଳେ ପ୍ରତି ବର୍ଗରେ ଗୋଟିଏ ମାତ୍ର ଅନୁଷ୍ଠାନକୁ ଶ୍ରେଷ୍ଠ ଅନୁଷ୍ଠାନ ଭାବେ ପୁରସ୍କୃତ କରିବାକୁ ଅନୁଷ୍ଠାନ ନିଷ୍ପତ୍ତି ନେଇଛି।