(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: ରାଜ୍ୟସରକାରଙ୍କର କାଳିଆ ଯୋଜନାରେ ଅନ୍ତଭୂକ୍ତ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ପାଖରୁ କାଳିଆ ଟଙ୍କା ଫେରିବ।ଖୁବ ଶୀଘ୍ର ଅଯୋଗ୍ୟ ହିତାଧିକାରୀଙ୍କର ତାଲିକା ଯାଞ୍ଚ ହେବ । ପଞ୍ଚାୟତ ସ୍ତରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୬ରୁ ୧୪ ତାରିଖ ଯାଏଁ ଯାଞ୍ଚ ହେବାକୁ ଥିବାବେଳେ ତାଲିକାରୁ ବାଦ ପାଇଁ ଅଯୋଗ୍ୟ ହିତାଧିକାରୀ ଆବେଦନ କରିପାରିବେ ।ଯେଉଁ ଅଯୋଗ୍ୟ ହିତାଧିକାରି ମାନେ କାଳିଆ ଟଙ୍କା ନଫେରାଇବେ ସେମାନଙ୍କୁ ଚିହ୍ନଟ ପାଇଁ ପଂଚାୟତସ୍ତରରେ ଏକ କମିଟି ଗଠନ କରାଯିବ । ଏ ନେଇ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି ।
ପୂର୍ବରୁ ଜୁଲାଇ ୩୧ ତାରିଖରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଥିଲେ।ହିତାଧିକାରୀ ଚୟନ ଦାୟିତ୍ବରେ ଥିବା ଅଧିକାରୀମାନେ ଏ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫‘ଟି’ ସୂତ୍ରକୁ ଆପଣାଇ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ।
ସଂଶୋଧିତ ତାଲିକା ପ୍ରକାଶ ପାଇବା ପରେ ଯଦି ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୁଏ, ତେବେ ସେଥି ପାଇଁ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି ମନ୍ତ୍ରୀ ଚେତାଇ ଦେଇଥିଲେ। ଶ୍ରୀ ସାହୁ କହିଥିଲେ, ଓଡ଼ିଶାର କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ଚାଷୀଙ୍କୁ ଚାଷ କାର୍ୟ୍ୟ ନିମନ୍ତେ ସିଧାସଳଖ ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କାଳିଆ ଯୋଜନା ପରି ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା। ଏ ପର୍ୟ୍ୟନ୍ତ ସରକାର ୩୬.୩୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୪.୭୦ ଲକ୍ଷ ଭୂମିହୀନ କୃଷି ପରିବାରକୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି। ତେବେ ଏହି ତାଲିକାକୁ ତ୍ରୁଟିଶୂନ୍ୟ କରିବା ପାଇଁ ପଦକ୍ଷେପ ନିଆଯାଉଛି।
କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ବିଫଳ ହୋଇଥିବା ନେଇ ବିରୋଧୀ ଦଳ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ଜୁଲାଇ ୨୮ ତାରିଖରେ ଖୋଦ୍ ବିଜେଡି ବିଧାୟକମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ।ଗୋଟିଏ ପରିବାରର ଏକାଧିକ ବ୍ୟକ୍ତିଙ୍କୁ ‘କାଳିଆ’ ସହାୟତା ତାଲିକାରେ ସଂଯୁକ୍ତ କରାଯାଇଛି। କେଁଉଠି ନା କେଉଁଠି ହିତାଧିକାରୀ ଚିହ୍ନଟ କରିବାରେ ତ୍ରୁଟି ରହୁଛି ବୋଲି ବିଧାନସଭାରେ ସଦସ୍ୟମାନେ କହିଥିଲେ ।