(ଜୟନ୍ତ କୁମାର ସେଠୀ/ଗୋପ): କରୋନା ମହାମାରୀ ଭଳି ବିପତ୍ତି ସମୟରେ ଅସହାୟମାନଙ୍କୁ ସାହାଯ୍ୟ କରି ନିଜ ଜନ୍ମଦିନ ପାଳିଛନ୍ତି ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ଯୁବ ସମାଜସେବୀ ବିକ୍ରମ କେଶରୀ ସାମଲ । ଆଜି ନିଜର ଜନ୍ମଦିନ ପାଳନ କରିବାକୁ ଯାଇ ବିକ୍ରମ ନିମାପଡା ଅଞ୍ଚଳର ଗରିବ, ଅସହାୟ ତଥା ଦିବ୍ୟାଙ୍ଗମାନଙ୍କୁ ସହାୟତାର ହାତ ବଢାଇଛନ୍ତି । କରୋନା ଯୋଗୁଁ କାମ ଧନ୍ଦା ନପାଇ ହତାଶ ହୋଇପଡିଥିଲେ ପାଟପୁର ଅଞ୍ଚଳର ଦିବ୍ୟାଙ୍ଗ ପ୍ରଦୀପ ଭୋଇ । ତାଙ୍କର ଡାହାଣ ହାତଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଆଗରୁ ଗୋଟିଏ ହାତରେ ଦିନ ମଜୁରୀ କାମ କରି ସେ ପରିବାର ପୋଷଣ କରୁଥିଲେ । ପ୍ରଦୀପଙ୍କୁ ସ୍ୱାବଲମ୍ବି କରିବାକୁ ଯାଇ ଆଜି ତାଙ୍କୁ ଗ୍ରୋସରୀ ଦୋକାନ ଖଣ୍ଡିଏ ଯୋଗାଇ ଦେଇଛନ୍ତି ଯୁବ ସମାଜସେବୀ ବିକ୍ରମ । ସେହିପରି ନିମାପଡା ଚଅଁରପଦା ଗାଁର ଅନୁରାଧା ବେହେରା ଶିକ୍ଷିତ ହୋଇ ଘରେ ବେକାର ବସିଥିବା ବେଳେ ତାଙ୍କୁ ସିଲେଇ ମେସିନ ଖଣ୍ଡିଏ ଦେଇଛନ୍ତି ବିକ୍ରମ । ଏହାଛଡା ଖବର କାଗଜ ବିକ୍ରି କରି ପେଟ ପୋଷୁଥିବା ରଟିଲୋ ପଞ୍ଚାୟତ ଶେଉଳଖାଲର ଭରତ ଜେନାଙ୍କୁ ତାଙ୍କ ଗୋଡ ଅପରେସନ ପାଇଁ ୫ ହଜାର ଟଙ୍କା ସହାୟତା ମଧ୍ୟ ଯୋଗାଇଛନ୍ତି ଏହି ଯୁବ ସମାଜସେବୀ । ତେବେ ଆଜି ନିଜ ଜନ୍ମ ଦିନ ପାଳନ ଅବସରରେ ବିକ୍ରମ ଆହୁରି ବହୁତ କିଛି ସହାୟତା ପ୍ରଦାନ କରିବାକୁ ଯୋଜନା କରିଥିବା ବେଳେ ଏଭଳି ଜନହିତକର କାର୍ଯ୍ୟ ଆଗାମୀ ଦିନରେ ଜାରି ରଖିବେ ବୋଲି ସେ କହିଛନ୍ତି । ଲୋକକଲ୍ୟାଣ ଚିନ୍ତାଧାରା ନେଇ ନିଜ ଜନ୍ମଦିନରେ ଅସହାୟକୁ ସାହାଯ୍ୟ କରୁଥିବାରୁ ସ୍ଥାନୀୟ ଅଞ୍ଚଳବାସି ଏହି ଯୁବ ସମାଜସେବୀଙ୍କୁ ବେଶ ପ୍ରଶଂସା କରିଛନ୍ତି ।