ଆବୁଧାବୀ ଅନ୍ତରାଷ୍ଟ୍ରୀୟ ପେଟ୍ରୋଲିୟମ ପ୍ରଦର୍ଶନୀରେ ଯୋଗ ଦେବେ ଧର୍ମେନ୍ଦ୍ର

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ନଭେମ୍ବର ୧୦ ତାରିଖରୁ ୧୨ ତାରିଖ ପର୍ୟ୍ୟନ୍ତ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଉଚ୍ଚସ୍ତରୀୟ ସରକାରୀ ଅଫିସର ମଣ୍ଡଳି ସହ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ମଧ୍ୟ ମନ୍ତ୍ରୀଙ୍କ ସହ ଏହି ବିଦେଶ ଗସ୍ତରେ ସାମିଲ ଅଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇ ମନ୍ତ୍ରୀ ଡ. ସୁଲତାନ ଅହମ୍ମଦ ଅଲ୍ ଜାବେରଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆବୁଧାବୀ ଅନ୍ତରାଷ୍ଟ୍ରୀୟ ପେଟ୍ରୋଲିୟମ ପ୍ରଦର୍ଶନୀ ଏବଂ ସମ୍ମିଳନୀ(ଆଡିପେକ୍)ରେ ଯୋଗଦେବେ । ଏହି ଦିନ ଏକ ମନ୍ତ୍ରୀସ୍ତରୀୟ ବୈଠକରେ ମଧ୍ୟ ସେ ଅଂଶଗ୍ରହଣ କରିବାର କାର୍ୟ୍ୟକ୍ରମ ରହିଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ୟୁଏଇ ମନ୍ତ୍ରୀ ସୁଲତାନ ଅହମ୍ମଦ ଅଲ୍ ଜାବେର ଉଭୟ ଏଫଆଇପିଆଇ, ଡିଜିଏଚ ଏବଂ ସିଆଇଆଇ ଦ୍ୱାରା ସହଯୋଗରେ ଆୟୋଜିତ ଭାରତ ପ୍ୟାଭିଲିୟନକୁ ଉଦଘାଟନ କରିବେ । ଏହି ଅବସରରେ ଡିଜିଏଚ ପକ୍ଷରୁ ଭାରତର ଅନ୍ୱେଷଣ ଓ ଉତ୍ପାଦନ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ଏକ ରୋଡ ସୋ’ ଆୟୋଜନ କରାଯିବାର କାର୍ୟ୍ୟକ୍ରମ ରହିଛି । ଏହି ଗସ୍ତକାଳରେ ସେ ୟୁଏଇର ଉର୍ଜା ଓ ଶିଳ୍ପ ମନ୍ତ୍ରୀ ଏବଂ ଡ. ସୁଲତାନ ଅହମ୍ମଦ ଅଲ୍ ଜାବେରଙ୍କୁ ଭେଟି ହାଇଡ୍ରୋକାର୍ବନ, ଇସ୍ପାତ୍ କ୍ଷେତ୍ର ସମ୍ବନ୍ଧରେ ଆଲୋଚନା କରିବା ସହ ଭାରତ ଏବଂ ୟୁଏଇ ମଧ୍ୟରେ ଚାଲୁଥିବା ସମସ୍ତ ବ୍ୟବସାୟିକ କାମ ଉପରେ ଚର୍ଚ୍ଚା କରିବାର କାର୍ୟ୍ୟକ୍ରମ ରହିଛି ।