ଆରମ୍ଭ ହେଲା ବିଜେପିର ନିର୍ବାଚନୀ ପ୍ରଚାର

0

( ଭୁବନେଶ୍ୱର / ରିପୋର୍ଟସଟୁଡେ): ଉତ୍ତରପ୍ରଦେଶରେ ବିଜେପି ଆଜି ପ୍ରଥମ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛି । ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଗ୍ରାରେ ଏକ ବିଶାଳ ସଭାକୁ ସମ୍ବୋଧନ କରିବେ । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାହାରାନପୁରରୁ ପ୍ରଚାର କରିବେ । ଏହି ନିର୍ବାଚନରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମେଣ୍ଟ ହେବା ପରେ ବିଜେପି ପାଇଁ ଅଧିକ ଚ୍ୟାଲେଞ୍ଜିଂ ସମୟ ଆସିଛି । ବିଜେପି ୨୦୧୪ ନିର୍ବାଚନ ଭଳି ଏଥର ମଧ୍ୟ ଉତ୍ତର ପ୍ରଦେଶର ଚାରିଆଡେ ପଦ୍ମ ଫୁଟାଇବାକୁ ଉଦ୍ୟମ କରୁଛି । ଏଥି ପାଇଁ ଆଗ୍ରାରେ ବର୍ତ୍ତମାନର ସାଂସଦ ରାମଶଙ୍କର କଠେରିଆଙ୍କ ଟିକେଟ କାଟି ଏଠାରେ ନୂତନ ପ୍ରାର୍ଥୀଙ୍କୁ ଛିଡ଼ା କରାଇଛି ।

ବିଜେପି ନିଜର ନିର୍ବାଚନ ଅଭିଯାନରେ ବିଜୟ ସଂକଳ୍ପ ସଭା ଆୟୋଜନ କରିବ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରବିବାର ଆଗ୍ରାରେ ସମ୍ବୋଧିତ କରୁଥିବା ବେଳେ ମାର୍ଚ୍ଚ ୨୬ରେ ମୁରାଦାବାଦ ସଭାରେ ଯୋଗଦେବେ । ତାଙ୍କ ସହିତ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଉପସ୍ଥିତ ରହିବେ ।
ସାହାରାନପୁର ପାଇଁ ଯୋଗୀ ଆଦିତ୍ୟନାଥ ଆଜି ନିର୍ବାଚନୀ ସଭାରେ ଯୋଗଦେବେ । ଏଠାରେ ସେ ସର୍ବପ୍ରଥମେ ସିଦ୍ଧପୀଠରେ ଶାକୁମ୍ଭରୀ ଦେବୀଙ୍କ ଦର୍ଶନ ପରେ ବେହଟ ଅଂଚଳରେ ଜନସଭା କରିବେ । ଏହା ପରେ ହେଲିକପ୍ଟରରେ ମା’ ଶକୁମ୍ଭରୀ ଦେବୀ ମନ୍ଦିରରେ ପୂର୍ବାହ୍ଣ ୧୧ଟା ୧୫ରେ ପହଂଚିବେ । ମନ୍ଦିରରେ ମା’ଙ୍କ ଠାରୁ ଆଶୀର୍ବାଦ ନେଇ ନିର୍ବାଚନୀ ଶଙ୍ଖ ଫୁଙ୍କିବେ । ବେହଟ ଅଂଚଳର ନାଗଳ ଠାରେ ଜନସଭାକୁ ସମ୍ବୋଧିତ କରିବା ପରେ ଅପରାହ୍ଣ ୧ଟା ୨୦ରେ ବୃନ୍ଦାବନ ଯିବେ ।
କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ଲଖନଉରେ ନିର୍ବାଚନ ପ୍ରଚାର ଶଙ୍ଖନାଦ କରିବେ । ସେ ପୂର୍ବାହ୍ଣ ୧୧ଟା ୩୦ରେ ବିମାନବନ୍ଦର ପହଂଚିବେ । ସେଠାରୁ ସିଧା ପ୍ୟାଲେସ ଭିଆଇପି ରୋଡରେ ପଂଜାବୀ ସାଂସ୍କୃତିକ ମିଳନରେ ଯୋଗଦେବେ । କାର୍ୟ୍ୟକ୍ରମ ପରେ ରାଜନାଥ ସିଂହ ଦିଲକୁଶା କଲୋନି ଯିବେ । ସେଠାରେ ଏକ କଲେଜର କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ ।