(ମୃତ୍ୟୁଞ୍ଜୟ ଭୋଇ)ଭୁବନେଶ୍ୱର:ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ସକାଳ ୧୦ଟା ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ପହଂଚି ପ୍ରଥମେ ରାଜ୍ୟ ଲୋକସେବା ଭବନରେ ହେବାକୁ ଥିବା ପୂର୍ବାଚଂଳ ଆଂଚଳିକ କମିଟି ବୈଠକରେ ସାମିଲ ହୋଇ ନକ୍ସଲବାଦ, କେନ୍ଦ୍ରୀୟ ଅନୁଦାନ ଓ ବ୍ୟାଙ୍କିଂ ସେକ୍ଟର ସଂପର୍କରେ ଆଲୋଚନା କରିବେ। ଏହାପରେ ଦିନ ୨ଟା ବେଳେ ଜନତା ମଇଦାନରେ CAA ଓ NRCକୁ ନେଇ ଆୟୋଜିତ ସଭାରେ ଯୋଗ ଦେଇ ଲୋକମାନଙ୍କୁ ସଚେତନ କରିବେ।
ଏହା ପରେ ସଂଧ୍ୟା ୬ଟାରେ ମେ ଫେୟାର ହୋଟେଲ ରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ପୁରୀ ଗସ୍ତରେ ଯିବେ ଅମିତ ଶାହ। ତେବେ ପୁରୀରେ ଶାହଙ୍କ ରାତ୍ରୀ ରହଣୀ କାର୍ୟ୍ୟକ୍ରମ ରହିଛି। ଏହାପରେ ପରଦିନ ସକାଳେ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ ସାରି ଭୁବନେଶ୍ୱରରେ ପହଁଞ୍ଚି ଲିଙ୍ଗରାଜଙ୍କୁ ଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି। ତେବେ ଅପରାହ୍ନରେ ଭୁବନେଶ୍ବରରେ ଏକ ଘରୋଇ ମେଡିକାଲର ଉଦଘାଟନ କାର୍ୟ୍ୟକ୍ରମରେ ଯୋଗ ଦେଇ ପୁଣି ଦିଲ୍ଲୀ ଫେରିଯିବେ ଗୃହମନ୍ତ୍ରୀ ଅମିତ ଶାହ।
ତେବେ ଅମିତ ଶାହାଙ୍କ ଗସ୍ତକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସମ୍ମିଳନୀ ଖାଲି ବାହାନା। ପ୍ରକୃତରେ ପୂର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସିଏଏ ସମର୍ଥନ ଲୋଡ଼ିବା ସହ ରାଜ୍ୟସଭା ପାଇଁ ଦୁଇଟି ସିଟ ମାଗିବା ପାଇଁ ଓଡ଼ିଶା ଆସୁଛନ୍ତି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି।
ଏହାକୁ ବିଜେଡି ମଧ୍ୟ ବିରୋଧ କରିଛି। ଯଦି ସିଏଏ ଲାଗୁ ହେବା ପୂର୍ବରୁ ଯଦି ଏମିତି ସଭା ବା ସଚେତନା ରାଲି ସମସ୍ତ ରାଜ୍ୟରେ କରିଥାଆନ୍ତେ ତା ହେଲେ ଦେଶରେ ହିଂସା ଘଟିନଥାନ୍ତା ବୋଲି ବିଜେଡ଼ି ବିଧାୟକ ପ୍ରତାପ ଦେବ କହିଛନ୍ତି।