(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ପୁରୀକୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ଅବସର ହେଉଛି ରାତି ପାହିଲେ ଅନୁଷ୍ଠିତ ହେବ କାଳିଆ ସାଆନ୍ତଙ୍କ ନଅ ଦିନର ଯାତ୍ରା । ରଥ ଉପରେ ବସି ଯିବେ ମାଉସୀ ମାମନ୍ଦିର । ରଥରେ ବସି ଭକ୍ତଙ୍କ ଗହଳିରେ ଯାତ୍ରା କରିବେ ଶ୍ରି ଜୀଉ । ରଥ,ପଥ ,ଭଗବାନ ଓ ଭକ୍ତର ହେବ ଅପୂର୍ବ ମିଳନ । ରଥାରୁଢ ଦିଅଁଙ୍କୁ ଦେଖିବାକୁ ଭକ୍ତ ସତେ ଯେମିତି ଝୁରୁଛି । ବିଶାଳ ଜନ ସମୁଦ୍ରରେ ପରିପୂର୍ଣ୍ଣ ହୋଇଛି ଆଧ୍ୟତ୍ମିକ ସହର ପୁରୀ। ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ବ୍ୟତୀତ ପୁରୀରେ ଲକ୍ଷାଧିକ ପର୍ୟ୍ୟଟକଙ୍କର ସମାଗମ ହୋଇଛି। ମଠ-ମନ୍ଦିର, ଧର୍ମଶାଳା, ଅତିଥି ଭବନ, ହୋଟେଲ ଆଦି ସ୍ଥାନ ଗୁଡ଼ିକରେ ଲୋକଙ୍କର ଭିଡ ଲାଗି ରହୁଛି।
ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ମଧ୍ୟ ପ୍ରସ୍ତୁତିକୁ ଅନ୍ତିମ ରୂପ ଦିଆଯାଇଛି। ପ୍ରଥମ ଥର ପାଇଁ ବ୍ୟାପକ ଆକାରରେ ଫୁଲରେ ଶ୍ରୀମନ୍ଦିରକୁ ସୁସଜ୍ଜିତ କରାଯାଇଛି। ଏହି କାମ ମଙ୍ଗଳବାର ଠାରୁ ଆରମ୍ଭ କରାଯାଇଥିବା ବେଳେ ବୁଧବାର ଶେଷ ହୋଇଛି।
ରଥଯାତ୍ରାର ସବୁଠାର ବଡ଼ ଆକର୍ଷଣୀୟ ଜିନିଷ ହେଉଛି ରଥ। ଭଗବାନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନକୁ ସିଂହଦ୍ୱାର ସମ୍ମୁଖ ୩ ଚକଡାକୁ ନିଆଯାଇ ଉତ୍ତର ମୁହାଁ କରି ରଖାଯାଇଛି ।