(ରିିପୋର୍ଟସ ଟୁଡ଼େ): କେରଳରେ ସାବରିମାଳା ବିବାଦ କ୍ରମଶଃ ଉଗ୍ରରୂପ ନେଉଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୫ ହଜାର ୭ଶହ ୬୯ ଜଣ ଗିରଫ ହୋଇଥିବାବେଳେ ଏନେଇ ଏକ ହଜାର ୮ ଶହ ୬୯ ମାମଲା ଦାଏର ହୋଇଛି। ସୁପ୍ରିମ୍କୋର୍ଟଙ୍କ ଆଦେଶ ରାଜ୍ୟରେ ପ୍ରଣୟନ କରାଇବା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ସୂଚନା ଦେଇଛନ୍ତି। ତେବେ ରାଜ୍ୟରେ ଘଟୁଥିବା ହଂସାକାଣ୍ଡ ରୋକିବା ପାଇଁ ଭାଜପା ଏହାର କର୍ମୀଙ୍କୁ ପରାମର୍ଶ ଦେବା ଆବଶ୍ୟକ ବୋଲି ବିଜୟନ ଫେସବୁକ୍ରେ ସୂଚିତ କରିଛନ୍ତି। ତେବେ ଏହାକୁ ନେଇ ଭାଜପା ତଥା ରାଜ୍ୟ ସରକାରଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି।
ସାବରିମାଲା ମନ୍ଦିର ମଧ୍ୟକୁ ଶ୍ରୀଲଙ୍କାର ଜଣେ ୫୦ ବର୍ଷରୁ କମ୍ ବୟସ୍କା ମହିଳା ପ୍ରବେଶ କରିଥିଲେ। ଉକ୍ତ ମହିଳାଙ୍କ ନାମ ଶଶିକଳା ବୋଲି ରିପୋର୍ଟରୁ ଜଣାପଡ଼ିଛି। ତାଙ୍କୁ ୪୬ ବର୍ଷ, କିନ୍ତୁ ତାଙ୍କର ଋତୁକାଳ ବନ୍ଦ ହୋଇଯାଇଥିବା ସେ କହିଛନ୍ତି।
୫୦ ବର୍ଷରୁ କମ୍ ବୟସ୍କା ହୋଇଥିଲେ ମଧ୍ୟ ସେ ମନ୍ଦିର ମଧ୍ୟକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କର ଋତୁକାଳ ଚିରଦିନ ଲାଗି ବନ୍ଦ ହୋଇ ଯାଇଛି ବୋଲି ସେ ପୁଲିସକୁ ସୂଚନା ଦେଇଥିବା କଥା କୁହାଯାଇଥିଲା।
ଏହାର ପ୍ରମାଣ ସ୍ୱରୂପ ସେ ଡାକ୍ତରୀ ସାର୍ଟିଫିଟେକ୍ ଦାଖଲ କରିଥିବା କଥା ଦାବି କରିଛନ୍ତି। ଗୁରୁବାର ରାତି ପ୍ରାୟ ୯: ୩୦ରେ ସେ ମନ୍ଦିରକୁ ପ୍ରବେଶ କରିଥିଲେ। କେତେକ ଲୋକ ତାଙ୍କୁ ଅଟକାଇ ବୟସ କେତେ ବୋଲି ପଚାରିଥିଲେ। ପୁଲିସ ତାଙ୍କୁ ସହାୟତା ପ୍ରଦାନ କରିଥିଲା।