ଦିଲ୍ଲୀ: ଯମୁନା ନଦୀରେ ଜଳସ୍ତର ବୃଦ୍ଧି ପୁଣି ଦିଲ୍ଲୀବାସୀଙ୍କ ଚିନ୍ତା ବଢାଇ ଦେଇଛି । ଗତବର୍ଷ ବନ୍ୟା କାରଣରୁ ଜାତୀୟ ରାଜଧାନୀ ଜଳବନ୍ଦୀ ହୋଇପଡିଥିଲା । ଏବେ ଜମୁନାର ଜଳସ୍ତର ସତର୍କ ଲାଇନ ନିକଟବର୍ତ୍ତୀ ହେବାକୁ ଯାଉଛି । ଏହାକୁ ଦୃଷ୍ଟି ରଖି ଦିଲ୍ଲୀ ସରକାର ଲୋକଙ୍କୁ ଯମୁନା ନିକଟ ଯିବାକୁ ବା ନଦୀରେ ପହଁରିବାକୁ ବାରଣ କରିଛି । ନଦୀକୂଳିଆ ଲୋକଙ୍କୁ ଘର ଖାଲି କରିବାକୁ କୁହାଗଲାଣି ।
ପିଟିଆଇ ସୂତ୍ରରୁ ପ୍ରକାଶ କି, ଦିଲ୍ଲୀ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ସୌରଭ ଭରଦ୍ୱାଜ ବନ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରିବା ପରେ ମଙ୍ଗଳବାର କହିଛନ୍ତି କି, ହରିଆଣାର ହଥିନିକୁଣ୍ଡ ବ୍ୟାରେଜରୁ ଜଳ ଛଡାଯିବା କାରଣରୁ ଯମୁନା ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ପୁରୁଣା ରେଳ ପୋଲରେ ଜଳସ୍ତର ୨୦୪.୩୫ ମିଟର ଛୁଇଁଛି । ଭରଦ୍ୱାଜ କହିଛନ୍ତି, ନଦୀର ସତର୍କ ସ୍ତର ୨୦୪.୫ ମିଟର ଅଟେ । କିନ୍ତୁ ହଥିନିକୁଣ୍ଡ ବ୍ୟାରେଜରୁ ପ୍ରାୟ ୧୦ ହଜାରରୁ ୧୩ ହଜାର କ୍ୟୁସିକ ପାଣି ଛଡାଯାଉଛି ।
ତେଣୁ ସରକାର ପକ୍ଷରୁ ଲୋକଙ୍କୁ ନଦୀକୁ ନ ଯିବାକୁ ସତର୍କ କରାଯାଇଛି । ଏଥିସହ ନଦୀ ଉପକୂଳ ତଳଭାଗରୁ ଲୋକଙ୍କୁ ଅନ୍ୟତ୍ର ଚାଲିଯିବାକୁ ଚେତାବନୀ ଦିଆଯାଇଛି । ତଳି ଇଲାକାରେ ବନ୍ୟାର ମୁକାବିଲା ପାଇଁ ଡଙ୍ଗା ବ୍ୟବସ୍ଥା କରାଯାଇଛି ଓ ଆବଶ୍ୟକ ହେଲେ ଉଦ୍ଧାର କାମ ପାଇଁ ସବୁ ପ୍ରକାର ବ୍ୟବସ୍ଥା ମଧ୍ୟ ସରକାର ତରଫରୁ କରାଯାଇଛି ।