(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: ରାମ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ଗଠନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏନେଇ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜମି ଓ ଟ୍ରଷ୍ଟ ଉପରେ ଲୋକସଭାରେ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ପାଇଁ ଏକ ସ୍ୱାୟତ ଟ୍ରଷ୍ଟ ନିର୍ମାଣ ହେବ । ଏହି ଟ୍ରଷ୍ଟର ନାମ ରହିବ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର । ଆଜି ସକାଳେ କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ରାମ ମନ୍ଦିରକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଟ୍ରଷ୍ଟ ଗଠନ ହେବ । ଏହି ଟ୍ରଷ୍ଟ ଭବ୍ୟ ମନ୍ଦିର ନିର୍ମାଣ ନେଇ ନିଷ୍ପତ୍ତି ନେବ । ଏହାସହ ୬୩.୦୩ ଏକର ଜମି ଟ୍ରଷ୍ଟକୁ ଟ୍ରାନ୍ସଫର କରାଯିବ । ସୁନି ୱାକଫ ବୋର୍ଡ଼କୁ ୫ଏକର ଜମି ଦିଆଯିବ ।
ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜନସାଧାରଣଙ୍କ ବିଶ୍ୱାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଦୀର୍ଘ ଦିନର ଆଇନଗତ ସଂଘର୍ଷ ଦେଇ ଗତି କରିଥିବା ଏହି ମାମଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ପରୀକ୍ଷିତ ବୋଲି ସେ କହିଛନ୍ତି। ସେ କହିଛନ୍ତି: ରାମ ଜନ୍ମଭୂମି ମାମଲାର ରାୟ ପ୍ରକାଶ ପାଇବା ପରେ ଭାରତବାସୀ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ପଦ୍ଧତିରେ ଉଲ୍ଲେଖଯୋଗ୍ୟ ବିଶ୍ୱାସ ପ୍ରଦର୍ଶନ କରିଥିଲେ। ମୁଁ ୧୩୦ କୋଟି ଭାରତବାସୀଙ୍କୁ ଅଭିବାଦନ ଜଣାଉଛି। ମୋଦୀ ଗୁରୁତ୍ୱାରୋପ କରି କହିଛନ୍ତି ‘ସବ୍କେ ସାଥ୍, ସବ୍କେ ବିକାଶ, ସବ୍କା ବିଶ୍ୱାସ’ ଧାରାରେ ପରିଚାଳିତ ତାଙ୍କ ସରକାର ପ୍ରତ୍ୟକ ଭାରତୀୟଙ୍କ ମଙ୍ଗଳ ପାଇଁ କାମ କରୁଛି।