ଏଇଠି ହୁଏ ମଣିଷଙ୍କ କିଣା ବିକା

0

ରିପୋର୍ଟରସ ଟୁଡେ(ହରପ୍ରସାଦ ବିଶୋଇ): ପରିବା ହାଟ ହେଉ କି ମାଛ ହାଟ ଆପଣମାନେ ନିଶ୍ଚୟ ଦେଖିଥିବେ କିନ୍ତୁ କେବେ ମଣିଷ ହାଟ ଦେଖିଛନ୍ତି ? ଆଜ୍ଞା ହଁ ରାତି ପାହିଲେ ସକାଳୁ ସକାଳୁ ବସେ ଏଇଠି ମଣିଷମାନଙ୍କ ହାଟ । ବିକ୍ରି ହୋଇଯାଆନ୍ତି ମଣିଷ ଦିନକ ପାଇଁ । ଖୋଦ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଜାଗାରେ ଦେଖିବାକୁ ମିଳେ ଖଟିଖିଆ ଓ ଦିନ ମୁଜୁରିଆଙ୍କ ଭିଡ । ହାତରେ କୋଡି, କୋଦାଳ, ଶାବଳ ଧରି ଏମାନେ ବାହାରି ଯାଆନ୍ତି ପେଟପାଟଣା ପାଇଁ । କାମ ମିଳିଲେ ଦୁଇ ପଇସା ନେଇ ଘରକୁ ଯିବେ । କିଛି ସମୟ ଅପେକ୍ଷା ପରେ ସେଠାରେ ପହଂଚନ୍ତି ଧଳା ପୋଷାକ ପିନ୍ଧା ବାବୁମାନେ । ଆଉ ତାପରେ ଆରମ୍ଭ ହୋଇଯାଏ ପ୍ରତିଯୋଗିତା ମଣିଷ କିଣିବା ପାଇଁ । କିଏ ୩୦୦ ତ ଆଉ କିଏ ୪୦୦ ଟଙ୍କା ମଜୁରିରେ ବିକ୍ରି ବୋଇ ଯାଆନ୍ତି ଦିନକ ପାଇଁ । ଏମାନଙ୍କୁ କିଏ ଘର କାମରେ ଲଗାଏ ତ କିଏ ବଗିଚା କାମରେ, ଆଉ କିଏ କାମ ନପାଇ ହତାଶ ହୋଇ ଘରକୁ ଫେରିଥାଏ । କୌଣସି ଉପାନ୍ତ ଅଂଚଳରେ ନୁହେଁ ବରଂ ଖୋଦ ରାଜଧାନୀରେ ନିଇତି ଦେଖିବାକୁ ମିଳେ ଏଭଳି ଅଭାବନୀୟ ଦୃଶ୍ୟ ।

ଖଟଖିଆ ଓ ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି ସତ କିନ୍ତୁ ସତରେ କଣ ଏହି ଯୋଜନା ସେମାନଙ୍କ କାମରେ ଲାଗୁଛି ? ଖରା ବର୍ଷା ପ୍ରତିଦିନ ଏହି ଛକ ଗୁଡିକରେ ଶହ ଶହ ଶ୍ରମିକ ଓ ଖଟିଖିଆ କର୍ମ ଅପେକ୍ଷାରେ ବସି ରହୁନ୍ତି ଏହି ମଣିଷ ହାଟରେ । କିନ୍ତୁ ନା ଅଛି ଆଶ୍ରୟସ୍ଥଳୀ ନା ଅଛି ପାନୀୟ ଜଳର ସୁବିଧା । ଏମାନଙ୍କ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ରହିଛି ସତ କିନ୍ତୁ ବେଳେ ବେଳେ ଏଭଳି ଦୃଶ୍ୟ ଦେଖିଲେ ମନେ ହୁଏ ସରକାରୀ ଯୋଜନା ନାମକୁ ମାତ୍ର, ତଥାପି ଏମାନେ ନୀତିଦିନ ଛିଡା ହୁଅନ୍ତି ମଣିଷ ହାଟରେ । ଆଶା ଥାଏ କିଏ ତ ବୁଝିବ ଦୁଃଖ ।