(ଅନୁଗୁଳ/ଜ୍ୟୋତିରଞ୍ଜନ ଧର) : ଅନୁଗୁଳ ଜିଲ୍ଲା ପାଇଁ ଗର୍ବ, ଗୌରବ ଆଣିଛନ୍ତି ଅନୁଗୁଳ ପୁଅ ରୁବେଲାଲ। ବିଶ୍ୱ କର୍କଟ ଦିବସରେ ବାଲୁକା କଳା ଦ୍ଵାରା ସଚେତନତା ବାର୍ତ୍ତା ଦେଇଥିଲେ ଜାତୀୟ ସ୍ତରୀୟ ବାଲୁକା ଶିଳ୍ପୀ ରୁବେଲାଲ ପ୍ରଧାନ । କଟକର କାର୍ଶିନୋଭା କ୍ୟାନସର ହସ୍ପିଟାଲ ଠାରେ ୧୩୨ ଫୁଟ ଲମ୍ବ ଓ ୯୨ ଫୁଟ ପ୍ରସ୍ଥ ବିଶିଷ୍ଟ ଏହି ସଚେତନତା କଳାକୃତି ସର୍ବବୃହତ ହୋଇଥିବା ଜଣାଯାଇଛି । ଏହି ୧୨୧୪୪ ବର୍ଗଫୁଟ ବିଶିଷ୍ଟ ବାଲୁକା କଳା ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ସହ ସ୍ଵତନ୍ତ୍ର ଭାବେ “ଗ୍ରାଣ୍ଡ ମାଷ୍ଟର” ଉପାଧି ପ୍ରଦାନ କରିଛି । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ କାର୍ଶିନୋଭା କ୍ୟାନସର ହସ୍ପିଟାଲ ଠାରେ ଏକ ସ୍ଵତନ୍ତ୍ର ଉତ୍ସବ ଅୟୋଜିତ ହୋଇ ଶିଳ୍ପୀଙ୍କୁ ରେକର୍ଡର ଟ୍ରଫି, ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ଡଃ କ୍ଷିତିଶ ମିଶ୍ର, ପ୍ରଜ୍ଞା ପାରମିତା ମିଶ୍ର, କ୍ୟାନସର ସଚେତନତା କରୁଥିବା ସଂଗଠନ ଉମ୍ମିଦେର କାର୍ୟ୍ୟକର୍ତ୍ତା ଉପସ୍ଥିତ ରହି ରୁବେଲାଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ରୁବେଲାଲ ନିଜର ଖୁସି ବ୍ୟକ୍ତ କରିଛନ୍ତି । ପରିବାର ସଦସ୍ୟ, ବନ୍ଧୁପରିଜନଙ୍କ ସ୍ନେହ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଏହି ସଫଳତା ସାଉଁଟିଥିବା ଓ ଜନ ସଚେତନତା ଜାରି ରଖିବାକୁ ପ୍ରକାଶ କରିଛନ୍ତି । ଏହା ପୂର୍ଵରୁ ରୁବେଲାଲ ସବୁଠୁ କ୍ଷୁଦ୍ରତମ ନନ୍ଦିଘୋଷ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡ, ଏସିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଥିଲେ ।