‘ଓ’ ଟିଭିକୁ ହଇରାଣ କରାଯାଉଛି: ଜାଗି

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଓଟିଭିକୁ ହଇରାଣ କରାଯାଉଛି । ବିଗତ ୨୨ ବର୍ଷ ଧରି ଓଙ୍କିଭି ନିରବଚ୍ଛିନ୍ନ ଭାବେ କାମ କରିଆସୁଛି । କିନ୍ତୁ ବର୍ତ୍ତମାନ ବିଭିନ୍ନ ଦିଗରୁ ଓଟିଭିକୁ ହଇରାଣ କରାଯାଉଥିବା ମତ ଦେଇଛନ୍ତି ଜାଗି ମଙ୍ଗତ ପଣ୍ଡା । ବିଧାନସଭାର ସ୍ୱାଧୀକାର ଭଙ୍ଗ ଅଭିଯୋଗରେ ବିଧାନସଭା ସ୍ୱାଧୀକାର କମିଟି ଆଗରେ ହାଜର ହୋଇ ଓଡ଼ିଶା ଟେଲିଭିଜନ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା ଏହା କହିଛନ୍ତି ।
ସ୍ୱାଧୀକାର ଭଙ୍ଗ ନେଇ କମିଟି ଜାନୁଆରୀ ୨୮ କିମ୍ବା ତା ପୂର୍ବରୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ତାଙ୍କୁ ନୋଟିସ ଜାରି କରିଥିଲେ। ତେଣୁ ସୋମବାର କମିଟି ନିକଟରେ ଉପସ୍ଥିତ ହୋଇ ନିଜ ପକ୍ଷ ରଖିଛନ୍ତି ଜାଗି। ସେ କମିଟି ନିକଟରେ ଅଭିଯୋଗ କରିଛନ୍ତି କି, ଦୀର୍ଘ ୨୨ ବର୍ଷ ଧରି ଓଙ୍କିଭି କାମ କରିଆସୁଛି । ୨ ହଜାରରୁ ଅଧିକ ବ୍ୟକ୍ତି ତାଙ୍କ ଅନୁଷ୍ଠାନରେ ନିଯୁକ୍ତି ସୁଯୋଗ ପାଇଛନ୍ତି । ଖବର ପରିବେଷଣ କ୍ଷେତ୍ରରେ ମ୍ୟାନେଜମେଣ୍ଟ କୌଣସି ହସ୍ତକ୍ଷେପ କରିନଥାଏ । ତଥା ପୂର୍ବରୁ ସବୁ ଠିକ ଥିଲା । କିନ୍ତୁ ତାଙ୍କୁ ଓ ତାଙ୍କ ସଂସ୍ଥାକୁ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡୁଛି । ସେମାନଙ୍କୁ ଜାଣି ଜାଣି ହଇରାଣ କରାଯାଉଛି ବୋଲି କମିଟି ନିକଟରେ ଜାଗି ପ୍ରକାଶ କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ୧୯ ତାରିଖରେ ଓଟିଭିରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରିତ ହୋଇଥିଲା । ଏହା ବିଧାନସଭାର ଅପମାନ କରୁଥିବା ଅଭିଯୋଗ ଆଣି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ । ଏହି ମାମଲାରେ ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡାଙ୍କୁ କମିଟି ଆଗରେ ଉପସ୍ଥିତ ହେବାକୁ ନୋଟିସ ହୋଇଥିଲା।