(ରଜନୀକାନ୍ତ ପାତ୍ର) ହିଂଜିଳି କାଟୁ: ଆଜି ସକାଳେ ହିଂଜିଳି କାଟୁ ମାଣିକନଗରରୁ ପୋଲିସ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଗଳିତ ଶବକୁ ଉଦ୍ଧାର କରିଛି । ମୃତକ ଜଣକ ଭଦ୍ରକ ଜିଲ୍ଲା ନରସିଂହପ୍ରସାଦ ଥାନା ଦୋସିଗାଁ ଗ୍ରାମର ରାଜେନ୍ଦ୍ର କୁମାର ଭୁୟାଁ । ସେ କଙ୍କୋରଡ଼ା ବିଜ୍ଞାନ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଭାବେ ଚାକିରି କରୁଥିଲେ । ଗତ ମାସ ୨୩ ତାରିଖରେ ହିଂଜିଳିକାଟୁ ପୌରାଂଚଳ ମାଣିକନଗର ୨ୟ ଲାଇନରେ ପଦ୍ମ ଚରଣ ସାହୁଙ୍କ ଘରେ ଭଡ଼ା ସୂତ୍ରରେ ରହି ଆସୁଥିଲେ । ଗୁରୁବାର ସକାଳେ ଘର ମଧ୍ୟରୁ ଦୁର୍ଗନ୍ଧ ବାହାରୁ ଥିବାର ପ୍ରଥମେ କ୍ଷୀର ଵାଲା ଜାଣି ଘର ମାଲିକକୁ ଖବର ଦେଇ ଥିଲେ । ଘର ମାଲିକ ସନ୍ଦେହ କରି ହିଂଜିଳି ପୋଲିସକୁ ଖବର ଜଣାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପଂହଚି ମାଜିଷ୍ଟେଟ ତଥା ତହସିଲଦାର ଗୋପିନାଥ କୁଅଁର ଓ ଥାନା ଆଇ ଆଇ ସି ଅଭିମନ୍ୟୁ ଦାସଙ୍କ ଉପସ୍ଥିତିରେ ଘରର ଭିତରପଟ ତାଲା ଭାଙ୍ଗିଥିଲେ । ଘରର ଛାତ ଉପରେ ଲାଗିଥିବା ପଙ୍ଖା ରେ ରଶି ସାହାର୍ୟ୍ୟରେ ଅଧ୍ୟାପକ ଜଣକ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଥିଲା । ପୋଲିସ ଅଧ୍ୟାପକଙ୍କ ଝୁଲନ୍ତା ଶବକୁ ଉଦ୍ଧାର କରି ନଂ- ୧୮/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ।