କରଞ୍ଜିଆ ଉଠା ଜଳସେଚନ ଡିଭିଜନ ଗସ୍ତ କରିଥିଲେ ଅମରେଶ ପତ୍ରୀ

0

ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଶନିବାର କରଞ୍ଜିଆ ଉଠା ଜଳ ଜଳସେଚନ ଡିଭିଜନ ଗସ୍ତ କରିଥିଲେ । ସେଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ରମ, କରଞ୍ଜିଆ ବିଜ୍ଞପିତ ଅଂଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପପି ପୃଷ୍ଟି, ଉପାଧ୍ୟକ୍ଷ ଶ୍ରୀ ସ୍ୱରୂପ ପରିଜାଙ୍କ ଉପସ୍ଥିତିରେ କରଞ୍ଜିଆ ଡିଭିଜନ ଅନ୍ତର୍ଗତ ବିଭିନ୍ନ ଉଠାଜଳସେଚନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ନିର୍ମାଣାଧିନ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବା, ମରାମତି ଯୋଗ୍ୟ ଅଚଳ ପ୍ରକଳ୍ପର ମରାମତି କରି ପୁନଃ କାର୍ଯ୍ୟକ୍ଷମ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସଂପୃକ୍ତ ଯନ୍ତ୍ରୀମାନେ କୃଷକମାନଙ୍କ ସହିତ ଆଲୋଚନା କରି ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରିବାକୁ ଓଏଲଆଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ସୁବିଧାଜନକ ଥିବା ସବୁ ଚାଷ ଜମିକୁ ଉଠା ଜଳସେଚନ ମାଧ୍ୟମରେ ଜଳସେଚିତ କରି କୃଷିର ଉନ୍ନତି ସହ କୃଷକମାନଙ୍କର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସ୍ୱପ୍ନ ରହିଛି, “5-ଟି” ଆଧାରରେ ସମ୍ମିଳିତ ପ୍ରଚେଷ୍ଟାରେ ଏହାକୁ କାର୍ଯ୍ୟକାରୀ କରିବାକୁ ଶ୍ରୀ ପତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଧାନ ବ୍ୟତୀତ ଡାଲି, ତୈଳବୀଜ ଆଦି ଅନ୍ୟ ଅର୍ଥକାରୀ ଫସଲ ଚାଷ କରିବାକୁ ଅଧ୍ୟକ୍ଷ ଶ୍ରୀ ପତ୍ରୀ କୃଷକମାନଙ୍କୁ ପରାମର୍ଶ ଦେଇଥିଲେ । ଉଠା ଜଳସେଚନ ପ୍ରକଳ୍ପରୁ କିପରି ଚାଷୀମାନେ ଅଧିକରୁ ଅଧିକ ଉପକୃତ ହୋଇପାରିବେ, ସେଥିପାଇଁ ବ୍ଲକଓ୍ୱାରୀ ସଚେତନତା କାର୍ଯ୍ୟକ୍ରମ କରିବାକୁ ଅଧ୍ୟକ୍ଷ ସମସ୍ତ କନିଷ୍ଠ ଯନ୍ତ୍ରୀମାନଙ୍କୁ କହିଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ସେତୁ ଯୋଜନା ଉପଦେଷ୍ଟା ଶ୍ରୀ ଦିଲ୍ଲୀପ ସାହୁ, ଓଡିଶା ଉଠା ଜଳସେଚନ ନିଗମ ବାଲେଶ୍ୱର ସର୍କଲ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପବିତ୍ର ମୋହନ ପରିଡା, କରଞ୍ଜିଆ ଡିଭିଜନ ନିର୍ବାହୀ ଯନ୍ତ୍ରୀ ବିକ୍ରମାଦିତ୍ୟ ପାଣିଗ୍ରାହୀ,ସହକାରୀ ଯନ୍ତ୍ରୀ ଗଙ୍ଗାଧର ମହାନ୍ତ, କନିଷ୍ଠ ଯନ୍ତ୍ରୀ(ସିଭିଲ) ଶ୍ରୀ କମଳାକାନ୍ତ ବେହେରା ଓ ଅଂଳା ସେଠୀ, କନିଷ୍ଠ ଯନ୍ତ୍ରୀ(ବିଦ୍ୟୁତ୍) ଶ୍ରୀ ଭାବରଞ୍ଜନ ପରିଡା, କନିଷ୍ଠ ଯନ୍ତ୍ରୀ(ଯାନ୍ତ୍ରିକ) ଶ୍ରୀ ସଦାନନ୍ଦ ମହାନ୍ତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏହାପରେ ଅଧ୍ୟକ୍ଷ ଶ୍ରୀ ପତ୍ରୀ ସଂପୃକ୍ତ ଯନ୍ତ୍ରୀମାନଙ୍କ ସହ କରଞ୍ଜିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁ-୧ ଓ ପିଙ୍ଗୁ-୨ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । କରଞ୍ଜିଆ ବ୍ଲକର ଜାମୁଟି ଗ୍ରାମ ସ୍ଥିତ ଡିପ୍ ବୋର୍ ଓ୍ୱେଲ ପ୍ରକଳ୍ପ ପରିଦର୍ଶନ କରିଥିଲେ । ସେଠାରେ ଚାଷୀମାନଙ୍କ ସହିତ ଆଲୋଚନା କରି ପ୍ରକଳ୍ପଗୁଡିକ ଜରିଆରେ ଚାଷୀମାନେ କିପରି ଉପକୃତ ହେଉଛନ୍ତି, ପ୍ରକଳ୍ପଗୁଡିକରୁ ଅଧିକ ସୁବିଧା ନେବା ପାଇଁ କି କି ସମସ୍ୟା ରହୁଛି ଓ ସେସବୁର ସମାଧାନ ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୌର ଶକ୍ତି ମାଧ୍ୟମରେ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କରେ ସେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।