(ଭୁବନେଶ୍ୱର) ; ପରିସ୍ଥିତି ମଣିଷର ଜୀବନ ଶୈଳିକୁ ବଦଳାଇ ଦିଏ ବା ପରିସ୍ଥିତି ମଣିଷକୁ ଯେକୌଣସି କାର୍ଯ୍ୟ କରିବାକୁ ବାଧ୍ୟ କରାଏ । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଏକ ଘରୋଇସ୍କୁଲର ଶିକ୍ଷୟତ୍ରୀ ସ୍ମୃତିରେଖାଙ୍କ କ୍ଷେତ୍ରରେ । ଦିନେ ନିଜ ହାତରେ କୋମଳମତି ଶିଶୁଙ୍କ ଭାଗ୍ୟ ଗଢ଼ୁଥିବା ଶିକ୍ଷୟିତ୍ରୀ ଆଜି ନିଜ ଭାଗ୍ୟ ସାଉଁଟୁଛି ଅଳିଆ ଗଦା ଭିତରେ। ଆଗକୁ ବଢ଼ିବା ଲକ୍ଷ୍ୟରେ ଏପରି ସ୍ଥିତିର ସମ୍ମୁଖୀନ ହୋଇ ବି ନିଜକୁ ଧୈର୍ୟ୍ୟଚ୍ୟୁତ କରି ନ ଥିବା ମହିଳା ହେଉଛନ୍ତି ଭୁବନେଶ୍ୱରର ସ୍ମୃତିରେଖା ବେହେରା। ଭୁବନେଶ୍ୱର ପଥରବନ୍ଧ ବସ୍ତିରେ ଶାଶୁ, ଶ୍ୱଶୁର, ସ୍ୱାମୀ ଓ ଦୁଇ ଝିଅଙ୍କ ସହ ରୁହନ୍ତି ସ୍ମୃତିରେଖା । ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ସହ କମ୍ପ୍ୟୁଟର କୋର୍ସ ପରେ ନର୍ସରୀ ଏବଂ ପ୍ଲେ ସ୍କୁଲ୍ ରେ କୁନି କୁନି ପିଲାଙ୍କୁ ପାଠ ପଢ଼ାଉଥିଲେ । ସ୍ମୃତିରେଖାଙ୍କ ସ୍ୱାମୀ ଏକ ଗାଡ଼ି ଫାଇନାନ୍ସ କମ୍ପାନୀରେ ଚାକିରି କରିଥିଲେ। ହସଖୁସିରେ କଟି ଯାଉଥିଲା ଦିନ। ହେଲେ ଦୁର୍ଦ୍ଦିନ ଆଣିଲା ମହାମାରୀ। ଦିନେ ଏକ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ଥିବା ସ୍ମୃତିରେଖା ପରିବାର ପୋଷିବାକୁ ଏବେ କିନ୍ତୁ ଘର ଘର ବୁଲି ଉଠାଉଛନ୍ତି ଅଳିଆ ଆବର୍ଜନା । କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ିବା ଯାହାର କାମ ଥିଲା, ତାକୁ ଏବେ ନିଜ ଭବିଷ୍ୟତ ଚିନ୍ତା ଘାରିଛି।