ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ହିଞ୍ଜିଳିକାଟୁ ବ୍ଲକ ଖଣ୍ଡରା ଗ୍ରାମର ଅଙ୍ଗନୱାଡ଼ି କର୍ମୀ ରମା ସାହୁ । ରମା କର୍କଟ ରୋଗରେ ପୀଡିତା । କିନ୍ତୁ ଜୀବନ ଯୁଦ୍ଧରେ ହାରି ଯାଇ ନାହାନ୍ତି । କରୋନା ଯୁଦ୍ଧରେ ସେ ଜାରି ରଖିଛନ୍ତି ଲଢେଇ । ମହାମାରୀ କରୋନାର ମୁକାବିଲା କରିବାକୁ ଲୋକଙ୍କୁ ସଚେତନ କରିଆସୁଛନ୍ତି । ଏହି ମହାନ ମହିଳାଙ୍କ ସମାଜ ପ୍ରତି ଥିବା ଦାୟିତ୍ୱବୋଧକୁ ଦେଖି ଦେଶର ଜଣାଶୁଣା ଫାର୍ମାସୁଟିକାଲ କମ୍ପାନୀ ମ୍ୟାନକାଇଣ୍ଡ ତାଙ୍କୁ ସହଯୋଗ କରିଛି । ତାଙ୍କ ଚିକିତ୍ସା ପାଇଁ ତାଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛି କିନ୍ତୁ ଓଡିଶା ସରକାର ପକ୍ଷରୁ କିନ୍ତୁ କୌଣସି ସମ୍ମାନ ନ ମିଳିବା ଦୁଃଖର ବିଷୟ ।
କର୍କଟ ପରି ଏକ ରୋଗରେ ପୀଡିତା ହୋଇ ମଧ୍ୟ କରୋନା ମହାମାରୀ ସମୟରେ ନିଜ ଦାୟିତ୍ୱ ସମ୍ପାଦନ କରିଚାଲିଛନ୍ତି ରମା । ଏହାକୁ ଦେଖି ରାଜ୍ୟ ବାହାରୁ ତାଙ୍କୁ ପ୍ରଶଂସା ଓ ସହଯୋଗ ମିଳିଲା କିନ୍ତୁ ଓଡିଶା ସରକାରଙ୍କ ପକ୍ଷରୁ କିଛି ସମ୍ଭବ ହେଲାନାହିଁ । କୋଭିଡ଼ ୧୯ ମୁଖ୍ୟପାତ୍ର ସୁବ୍ରତ ବାଗଚି ପ୍ରଶଂସା କରିବା ସହିତ କୋଭିଡ଼ ଯୋଦ୍ଧା ଭାବେ ସମ୍ମାନିତ କରିବାକୁ ଘୋଷଣା କରିଥିଲେ । ଏହା ମଧ୍ୟରେ ୩ ମାସ ହେବାକୁ ବସିଲାଣି କିନ୍ତୁ ତାହା ସମ୍ଭବ ହୋଇ ପାରିନାହିଁ ।