କାଳବୈଶାଖୀ : ଚିରିଗଲା ପତିତପାବନ ବାନା

0

( ଭୁବନେଶ୍ୱର/ରିପୋର୍ଟସଟୁଡେ): ଗତକାଲି ସନ୍ଧ୍ୟାରେ ପୁରୀରେ ପ୍ରବଳ ଝଡତୋଫାନ ଯୋଗୁଁ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି । ପବନ ବେଗ ସହ ଧୂଳିଝଡରେ ଲୋକେ ନାକେଦମ ହୋଇପଡିଛନ୍ତି । କାଳବୈଶାଖୀ ପ୍ରଭାବରେ ଶ୍ରୀ ମନ୍ଦିର ନୀଳଚକ୍ରରେ ଲାଗିଥିବା ପତିତପା ବନ ବାନା ଚିରିଯାଇଛି ।

ସେହିଭଳି ସହରର ବିଭିନ୍ନ ସ୍ଥାନରେ ଗଛଡାଳ ଭାଙ୍ଗି ପଡିଥିବା ବେଳେ ହୋଡିଂ, ବ୍ୟାନର ସବୁ ଉଡ଼ି ତଳେ ପଡିଛି। ପୁରୀ ରେଳ ଷ୍ଟେସନ୍‌ରେ ଲାଗିଥିବା ୩୦ ଫୁଟ୍‌ ଲମ୍ବର ଜାତୀୟ ପତାକା ମଧ୍ୟ ଚିରିଯାଇଛି। ପବନରେ ମେଡ଼ିକାଲ ଛକରେ ରହିଥିବା ଟ୍ରାଫିକ୍ ପୋଷ୍ଟ ଓଲଟି ପଡ଼ିଛି। ପ୍ରବଳ ଧୂଳିଝଡ ଯୋ‌ଗୁ ସମୁଦ୍ରକୂଳ ଓ ବଡଦାଣ୍ଡ‌ରେ ଲୋକେ ଘରୁ ବାହାରି ପାରିନାହାନ୍ତି। ବେଳାଭୂମି ଅଞ୍ଚଳରେ ପ୍ରବଳ ମାତ୍ରାରେ ବାଲି ଉଡ଼ିବାରୁ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇ ଯାଇଥିଲା। ଝଡ଼ ପ୍ରଭାବରେ କେବଳ ବଡଦାଣ୍ଡ ଓ ସମୁଦ୍ରକୂଳ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ଥିବା ବେଳେ ପୁରୀ ଆଖପାଖ ଅଞ୍ଚଳ ଅନ୍ଧାରରେ ରହିଛି।