(ଆଦର୍ଶ ରାଉତ) ଭୁବନେଶ୍ୱର: ରାଜ୍ୟରେ ଯେଉଁ କେତେ ଜଣ ମହିଳା ଆଇପିଏସ୍ ରହିଛନ୍ତି, ସେମାନଙ୍କ ମଧ୍ୟରେ ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ର ଅନ୍ୟତମ । ସେ ବିଭିନ୍ନ ସମୟରେ ଗଣମାଧ୍ୟମର ଚର୍ଚ୍ଚାରେ ରହିଆସିଥାନ୍ତି ତାଙ୍କ ଦବଙ୍ଗଗିରି, ମନଇଛା କାର୍ଯ୍ୟ କଳାପ, ନିଜ ପତିଆରା ଜାହିର କରିବାକୁ ନେଇ । ଏହି ଆଇପିଏସଙ୍କ ଦାଦାଗିରି ସମ୍ପ୍ରତି କୂଳ ଲଙ୍ଘିବା ସ୍ଥିତିରେ । ତେଣୁ ତାଙ୍କ ଅଧୀନରେ ଥିବା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ଶୁଣିବାକୁ ମିଳୁଛି ।
୨୦୧୪ ବ୍ୟାଚର ଏହି ଆଇପିଏସ ଅଧିକାରୀ ସୁନ୍ଦରଗଡ ଜିଲ୍ଲାରେ ଦେଢ ବର୍ଷ ହେବ ଏସ୍ପି ଭାବେ କାମ ତୁଲାଇଆସୁଛନ୍ତି । ଏହି ଦେଢ ବର୍ଷ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ସମସ୍ତ ପ୍ରକାରର ବେଆଇନ କାମ କାୟା ବିସ୍ତାର କରିବାରେ ଲାଗିଛି । କୋଇଲା ଚୋରା ଚାଲାଣକାରୀଙ୍କ ମୁଣ୍ଡରେ ରହିଛି ମ୍ୟାଡ୍ମଙ୍କ ଅଭୟଦାୟୀ ହାତ । ତେଣୁ ଦିନ ନାହିଁ ରାତି ନାହିଁ ସବୁ ବେଳେ ବେଧକଭାବେ ଚାଲିଛି କୋଇଲା ଚୋରା ଚାଲାଣ । ତାଙ୍କ ଛତ୍ରଛାୟାରେ ଗୋଟିଏ ପଟେ ଚୋରା କୋଇଲା ଦଲାଲ ବଣ୍ଟି ଡାଲମିୟାର ସାମ୍ରାଜ୍ୟ ବଢି ଚାଲିଥିବା ବେଳେ ଅନ୍ୟପଟେ ସେଠାର ବିଜେପି ବିଧାୟିକା ଓ ତାଙ୍କ ସ୍ୱାମୀଙ୍କ ମନମୁଖୀ ଚାଲିଛି ।ଉଭୟ ସୌମ୍ୟା ଓ କୁସୁମ ଜିଲ୍ଲାରେ ଦାଦାଗିରି ଚଳାଇଛନ୍ତି । କୁସୁମଙ୍କୁ ଖୁସି କରି ସୌମ୍ୟା ମନମୁଖୀ କାର୍ଯ୍ୟକରିବାରେ ବ୍ୟସ୍ତ । ତାଙ୍କ ବିରୋଧରେ ଯେଉଁ ତଳିଆ କର୍ମଚାରୀ ମୁହଁ ଖୋଲିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଅନ୍ୟତ୍ର ବଦଳି କରିଦେଉଛନ୍ତି । ନିକଟରେ ଏକ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଖୋଜିବାକୁ ତାଙ୍କ ଘରକୁ ଯାଇଥିଲେ । କିନ୍ତୁ ତାଙ୍କୁ ନ ପାଇ ଉତ୍ୟକ୍ତ ହୋଇ ସୌମ୍ୟା ଉକ୍ତ ବ୍ୟକ୍ତିଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ମଡା ମାରି ତାଙ୍କ ଗର୍ଭ ନଷ୍ଟ କରିଦେଇଥିଲେ । ମହିଳାଙ୍କ ଅଭିଯୋଗ ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।
କିନ୍ତୁ ଏତେ ସବୁ ପରେ ମଧ୍ୟ ରାଜ୍ୟ ସରକାର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ଏହାକୁ ନେଇ ପ୍ରଶ୍ନ ଉଠୁଛି, କଣ ଏପର୍ଯ୍ୟନ୍ତ ସୌମ୍ୟାଙ୍କ ଦାଦାଗିରିକୁ ନେଇ ତୃତୀୟ ମହଲାରେ ସୂଚନା ନାହିଁ? ରାଜ୍ୟରେ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ବିଜେଡି ସରକାର କାହିଁକି ନିରବ ରହିଛି? ଅନିୟମତତା ଓ ଦୁର୍ନୀତିକୁ ନେଇ ନବୀନ ସରକାର ଏକ ମାସ ମଧ୍ୟରେ ୩୭ ଅଧିକାରୀଙ୍କୁ ବରଖାସ୍ତ କରିବାକୁ ତିଳେମାତ୍ର ଡେରି କରି ନ ଥିବା ବେଳେ ସୌମ୍ୟାଙ୍କ ପ୍ରତି କାହିଁକି ଏ ଅନୁକମ୍ପା ଓ ଆତ୍ମୀୟତା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।