(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଜି କୁମ୍ଭ ମେଳା ପରି ଜନ ଗହଳି ଭିତରେ ଏକ ଭୟଙ୍କର ଆତଙ୍କବାଦୀ ଷଡଯନ୍ତ୍ର ପଣ୍ଡ କରାଯାଇଛି । ଆତଙ୍କ ବିରୋଧୀ ସଂସ୍ଥା ରାସାୟନିକ ଆକ୍ରମଣ ଷଡଯନ୍ତ୍ର ଅଭିଯୋଗରେ ୯ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିବା ଜଣାଯାଇଛି। ଆତଙ୍କ ବିରୋଧୀ ସଂସ୍ଥା ପକ୍ଷରୁ କୁହାଯାଇଛି, ଜାନୁଆରୀ ୨୬ ତାରିଖ ପୂର୍ବରୁ କୁମ୍ଭମେଳାର ବିଭିନ୍ନ ସ୍ଥାନରେ ଖାଦ୍ୟ ପାନୀୟରେ ବିଷ ମିଶାଇ ଗଣ ନରସଂହାର କରିବା ଲାଗି ଷଡଯନ୍ତ୍ର ଚଳାଇ ଥିଲେ ଏହି ଆତଙ୍କବାଦୀଗଣ ।
ସୂଚନାରୁ ପ୍ରକାଶ, ଆଇଏସଆଇଏସଆଇର ୪ଜଣ ସନ୍ଦିଗ୍ଧଙ୍କୁ ପ୍ରଥମେ ପୋଲିସ ଔରଙ୍ଗାବାଦରୁ ଧରିବା ସହ ବିପୁଳ ମାତ୍ରାରେ ବିଷାକ୍ତ ରାସାୟନିକ ପଦାର୍ଥ ମଧ୍ୟ ଜବତ କରିଥିଲା। ଗିରଫ ଆତଙ୍କବାଦୀଙ୍କଠାରୁ ଅନ୍ୟ ପାଞ୍ଚଜଣଙ୍କ ସଂପର୍କରେ ସୂଚନା ହାସଲକରିଥିଲା ଓ ସନ୍ଦିଗ୍ଧ ଅପରାଧୀମାନଙ୍କୁ ବିଭିନ୍ନ ସ୍ଥାନରେ ଚଢାଉ କରି ଗିରଫ କରିବାରେ ସକ୍ଷମ ହୋଇଛି ଆତଙ୍କ ବିରୋଧୀ ସଂସ୍ଥା। ଗିରଫ ଯୁବକଙ୍କର ବୟସ ୧୮ରୁ ୨୨ ବର୍ଷ ବୋଲି ଜଣାଯାଇଛି। ଏମାନଙ୍କ ଭିତରୁ ଦୁଇ ଜଣ ଇଂଜିନିୟର ଓ ଜଣେ ଇଂଜିନିୟର ଛାତ୍ର, ଜଣେ ଫାର୍ମାସିଷ୍ଟ ମଧ୍ୟ ଅଛନ୍ତି। ସେମାନଙ୍କ ନିକଟରୁ ପେନ୍ ଡ୍ରାଇଭ୍, ଲାପଟପ୍, ଡିଭିଡ, ସିଡି ଓ ବିଭିନ୍ନ ରାସାୟନିକ ପଦାର୍ଥ ବୋତଲ ଆଦି ଜବତ କରାଯାଇଥିବା ସୂଚନା ରହିଛି ।