(ଗୋଲାପ ସାହୁ) କଳାହାଣ୍ଡି: ସରକାର କୃଷକ ମାରଣା ନିତୀ ଓ କୃଷକଙ୍କ ବିଭିନ୍ନ ସମସ୍ୟାର ଅଣଦେଖା ପ୍ରତିବାଦରେ କୋକସରା କୃଷକ ସଚେତନ ମଞ୍ଚର ସଭାପତି ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ ଆଜି ସରକାରଙ୍କ ବିରୁଦ୍ଧରେ ଏଫଆଇଆର ଦିଆଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ କୋକସରା ଅଞ୍ଚଳର ଶତାଧିକ ଚାଷୀ ଏକତ୍ରିତ ହୋଇ ସରକାରଙ୍କ ବିରୋଧୀ ବିଭିନ୍ନ ସ୍ଳୋଗାନ ଦେଇ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଳକ ଅଫିସ ପର୍ୟ୍ୟନ୍ତ ଯାଇ ସେ ଠାରୁ ଥାନା ପରିସରରେ ପହଞ୍ଚି ଥିଲେ। ଥାନା ପରିସରରେ ସଂଘର ଉପସଭାପତି ଗରଡଧ୍ବଜ ମାଝିଙ୍କ ସଭାପତିତ୍ବରେ ପ୍ରତିବାଦର ସଭା ଅନୁଷ୍ଠିତ ହୋଇଛି। ପ୍ରତିବାଦ ସଭାରେ କାଳିଆ ଯୋଜନାର ବିଫଳତା,ଗତ ବର୍ଷର ଇନପୁଟ୍ ସବସିଡ, ସରକାରଙ୍କ ନୀତିର ବିରୁଦ୍ଧାଚରଣ କରି ପ୍ରତ୍ୟକ୍ଷ ଭାବରେ ମିଲର୍ସ ମଣ୍ଡିରେ ଧାନ କ୍ରୟ କରିବା, କୃଷକ ମାନଙ୍କୁ ଦିଆଯାଇଥିବା ସମସ୍ତ ପ୍ରକାରର ରିହାତିର ଉଚ୍ଛେଦ ଭଳି ବିଭିନ୍ନ ସମସ୍ୟା ଉପରେ ସରକାରଙ୍କ ବିରୁଦ୍ଧରେ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନୀଙ୍କ ସମେତ ଅନ୍ୟ ଚାଷୀ ମାନେ ଖୁବ ବର୍ଷିଛନ୍ତି। ପରେ କୃଷକ ସଚେତନ ମଞ୍ଚ କୋକସରା ପକ୍ଷରୁ ଥାନା ଅଧିକାରୀ ବାସୁଦେବ ଛତ୍ରିଆଙ୍କ ଜରିଆରେ ସରକାର ବିରୁଦ୍ଧରେ ଏଫଆଇଆର ପ୍ରଦାନ କରାଯାଇଥିଲା।