ପୁଣି ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ । ଏନ୍ଇପି କାର୍ଯ୍ୟକାରିତା ନେଇ ତିନି ଦିନିଆ ଜାତୀୟ କର୍ମଶାଳାରେ ଯୋଗଦେଇ ଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେଉଁଠାରେ ଧର୍ମେନ୍ଦ୍ର କହିଛନ୍ତି, ପୁରୁଣା ସରକାର କେବଳ ଲୋକ ଦେଖାଣିଆ ଭାବେ ଏନଇପିକୁ ଗ୍ରହଣ କରିଥିଲା । କିନ୍ତୁ ମୋହନ ସରକାର ଏହାକୁ କରିକି ଦେଖାଇଛନ୍ତି । ଆଉ ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ।
ପୂର୍ବ ସରକାର ନାଚ ଗୀତରେ ପଇସା ଖର୍ଚ୍ଚ କରୁଥିଲେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏବଂ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏପ୍ରିଲରୁ ପିଲାଙ୍କୁ ଜାତୀୟ ଶିକ୍ଷା ନୀତିର ଖଡ଼ି ଛୁଆଁଯିବ। ପିଲାଙ୍କୁ ଖେଳନା ଆଦି ଦିଆଯିବ। ମେ ଓ ଜୁନ ମାସରେ ଓଡ଼ିଶାର ୫୦ ହଜାର ଗାଁକୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ମିଶିକି ଡ୍ରପ ଆଉଟ ପିଲାଙ୍କୁ ଖୋଜି ପାଠ ପଢ଼ାଇବା ପାଇଁ ଆହ୍ୱାନ କରିବେ ।
ଏନଇପିରେ ମାତୃଭାଷା ସହ ବହୁଭାଷାରେ ଶିକ୍ଷାଦାନ କରାଯିବ । ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ । ପିଲାମାନେ ଯେମିତି ଆତ୍ମନିର୍ଭରଶୀଳ ହେବେ ସେନେଇ ଶିକ୍ଷା ଦିଆଯିବ । ଜାତୀୟ ଶିକ୍ଷାନୀତିରେ ଶିକ୍ଷକ ପ୍ରଶିକ୍ଷଣ ବ୍ୟବସ୍ତା କରାଯିବ । ଯାହାଦ୍ୱାରା ଏନଇପିକୁ ସହଜରେ କାର୍ଯ୍ୟକାରୀ କରିହେବ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଶିକ୍ଷାର ବ୍ୟବଧାନ କମିବ । ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସବୁ ପଂଚାୟତରେ ପରିଣତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।