(ଜୟନ୍ତ କୁମାର ସେଠୀ)ଗୋପ: ରାଜ୍ୟ ସରକାର ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବା ନିମନ୍ତେ କୋଣାର୍କ ଥାନା ପକ୍ଷରୁ ‘ଆମ ପୁଲିସ’ କାର୍ୟ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ନିମାପଡା ଉପଖଣ୍ଡ ଅରକ୍ଷୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦଳାଇଙ୍କ ପୌରେହିତ୍ୟରେ ଆୟୋଜିତ ‘ଆମ ପୁଲିସ’ କାର୍ୟ୍ୟକ୍ରମରେ କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଲିକ, ଆମ ପୁଲିସର ସଂଯୋଜକ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ପୁଲିସ ଓ ସାଧାରଣ ଲୋକଙ୍କର କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଇ ଥିଲେ। ଏହି ଅବସରରେ ମଞ୍ଚ ସମ୍ମୁଖରେ ଉପସ୍ଥିତ ଥିବା ଗଣମାଧ୍ୟମର ପ୍ରତିନିଧି, କୋଣାର୍କ ଥାନା ଅଧିନରେ ଥିବା ବିଭିନ୍ନ ପଞ୍ଚାୟତର ସରପଞ୍ଚ, ଲୋକ ପ୍ରତିନିଧି, ବୁଦ୍ଦିଜୀବୀ ଓ ସାଧାରଣ ଜନତା ସାମିଲ ହୋଇ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଲୋଚନାରେ ଭାଗ ନେଇଥିଲେ । କେଉଁ କାରଣ ପାଇଁ ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇପାରୁ ନାହିଁ ଏହାକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମନ୍ନୟର ଅଭାବ ଯୋଗୁଁ ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇ ପାରୁ ନାହିଁ ବୋଲି ମତ ପ୍ରକାଶ ପାଇଥିଲା । ଉଭୟ ସୁସ୍ଥ ମାନସିକତାରେ ସମନ୍ନୟ ସ୍ଥାପନ କରି କାର୍ୟ୍ୟ କଲେ ଅପରାଧ ନିୟନ୍ତ୍ରଣ ହେବା ସହ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ସର୍ବସମତି କ୍ରମେ ମତ ପ୍ରକାଶ ପାଇଥିଲା । ଆମ ପୁଲିସର ଏହି କାର୍ଯ୍ୟକ୍ରମକୁ କୋଣାର୍କ ଥାନାର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।