କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

0

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଖିଳ ଭାରତ ଯୁବସଙ୍ଘ। କୋଣାର୍କ ଏନ୍ଏସି ଶାଖା ପକ୍ଷରୁ ୧୩ ଦଫା ଦାବି ନେଇ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୩ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲା ଯୁବସଙ୍ଘର ସଭାପତି ସୁକାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ କଲେଜ ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ୟ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ସେପ୍ଟେମ୍ବର ମାସ ୧ତାରିଖରୁ ଲାଗୁ ହୋଇଥିବା ନୂତନ ମୋଟରଯାନ ଆଇନକୁ ତୁରନ୍ତ ପ୍ରତ୍ୟାହାର, କୋଣାର୍କର ବେବନ୍ଦୋବସ୍ତ ଜମି ସମସ୍ୟାର ସମାଧାନ, କ୍ଷୁଦ୍ର ବ୍ୟବସାୟୀଙ୍କୁ ଭେଣ୍ଡିଂ ଜୋନ ନିର୍ମାଣ କରି ଥଇଥାନ କରିବା, କୋଣାର୍କରୁ ଭୁବନେଶ୍ୱର ଓ ପୁରୀଠାରୁ ମୋ ବସ୍ ଯୋଜନା ଓ ସିଟି ବସ୍ ଯୋଜନାରେ ସାମିଲ କରି ବସ୍ ଚଳାଚଳ କରାଇବା ଆଦି ୧୩ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଏମ୍. ଶ୍ରୀନିବାସଙ୍କୁ ଯୁବସଙ୍ଘର କର୍ମକର୍ତ୍ତାମାନେ ପ୍ରଦାନ କରିଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ୟ୍ୟାଳୟ ସମ୍ମୁଖରେ ଆୟୋଜିତ ଧାରଣାରେ ସଙ୍ଗର ନେତା ସୁକାନ୍ତ କୁମାର ମହାନ୍ତି, ଜାତୀୟ ପରିଷଦ ସଭ୍ୟ ସୁରେଶଚନ୍ଦ୍ର ବିଶ୍ୱାଳ, ଜାତୀୟ ସମ୍ପାଦକ ସୁବାସିନୀ ଭଦ୍ର, ଅତିଶ ସେଠୀ, ବ୍ରହ୍ମାନନ୍ଦ ଦାସ ଓ ପ୍ରସନ୍ନ ଦାସ ପ୍ରମୁଖ ଯୋଗଦେଇ ନିଜନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ।