(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୋଟିନଡା ପଞ୍ଚାୟତ ଅନ୍ତର୍ଗତ ସିଦ୍ଧିଖଣ୍ଡି ଗ୍ରାମରେ ଗତକାଲି ସରକାରଙ୍କ କୋଭିଡ-୧୯ ନିୟମକୁ ଅମାନ୍ୟ କରି ବିବାହ ଭୋଜି ଚାଲିଥିବା ସମୟରେ ସ୍ଥାନୀୟ ତହସିଲ ଏନ୍ଫୋର୍ସମେଣ୍ଟ ସ୍କୁଆର୍ଡ୍ଡ ପକ୍ଷରୁ ପୋଲିସ ସହାୟତାରେ ଅତର୍କିତ ଚଢ଼ାଉ କରାଯାଇ ରନ୍ଧା ଖାଦ୍ୟ ନିମନ୍ତେ ବ୍ୟବହୃତ ହଣ୍ଡାହାଣ୍ଡି ଜବତ କରାଯାଇଛି। ଜବତ ରନ୍ଧା ଖାଦ୍ୟ ଗୁଡ଼ିକ ନିକଟସ୍ଥ ସିଦ୍ଧେଶ୍ଵର ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରାୟ ୧୮୦ ପ୍ରବାସୀ ଓଡ଼ିଆଙ୍କୁ ବଣ୍ଟନ କରାଯାଇଥିବା ଜଣାପଡିଛି । ଗଞ୍ଜାମରେ କରୋନା ପଜିଟିଭ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟୁଥିବାରୁ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ନ ହେବାପାଇଁ ସମସ୍ତ ଭୋଜି କାର୍ୟ୍ୟ , ସଭା ସମିତି , ଯାନବାହାନ ଚଳାଚଳ ବନ୍ଦ ରଖିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏହି ନିର୍ଦ୍ଦେଶନାମା ତଥା କୋଭିଡ଼ କଟକଣାକୁ ଲୋକେ ମାନୁ ନାହାନ୍ତି। ମଙ୍ଗଳବାର କୋଟିନଡା ପଞ୍ଚାୟତ ସିଦ୍ଧିଖଣ୍ଡି ଗ୍ରାମର ସ୍ବର୍ଗତ ଦେବ ରାଉତଙ୍କ ଦୁଇ ପୁଅ ରାମ ଓ କୃଷ୍ଣଙ୍କ ବାହାଘର କାର୍ୟ୍ୟକ୍ରମ ରହିଥିଲା । ଏନେଇ ଗ୍ରାମରେ ତାଙ୍କ ପରିବାର ପକ୍ଷରୁ ପ୍ରାୟ ୧ ହଜାର ଲୋକମାନଙ୍କ ପାଇଁ ଭୋଜିଭାତର ଆୟୋଜନ ମଧ୍ୟ କରାଯାଇଥିଲା । ଖବର ପ୍ରଚାରିତ ହେବାପରେ ଦିଗପହଣ୍ଡି ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ, ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ, ବିଡ଼ିଓ ହଳଧର ଶବର,ଆଇ ଆଇ ସି ବସନ୍ତ କୁମାର ସେଠୀ ଙ୍କ ସମେତ ଏନ୍ଫୋର୍ସମେଣ୍ଟ ସ୍କୁଆର୍ଡ଼ ସଦସ୍ୟ ମାନେ ପହଞ୍ଚି ସମସ୍ତ ଭୋଜି ସାମଗ୍ରୀ ଜବତ କରିଥିଲେ। ସେହିପରି ଭୀଷ୍ମଗିରି ଗ୍ରାମ ଗୋପବନ୍ଧୁ ନଗର ରେ ରହୁଥିବା ରଘୁନାଥ ବେହେରାଙ୍କ ପୁଅ ଶରତ ବେହେରାଙ୍କ ବାହାଘର ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ଗ୍ରାମରେ ବଡଧୁମଧାମରେ ଭୋଜି କାର୍ୟ୍ୟକ୍ରମ ଚାଲିଥିଲା। କୈାଣସି ବିଶେଷ ସୂତ୍ରରୁ ସୂଚନା ପାଇ ସ୍ଥାନୀୟ ପୋଲିସ ପ୍ରଶାସନିକ ଅଧିକାରୀମାନେ ଅତର୍କିତ ଚଢ଼ାଉ କରି ସମସ୍ତ ରନ୍ଧା ଖାଦ୍ୟ ଜବତ କରିଥିବା ଜଣାପଡିଛି । ସରପଞ୍ଚ ପିତାମ୍ବର ଗୌଡ ଙ୍କ ଉପସ୍ଥିତିରେ ଜବତ ରନ୍ଧା ଖାଦ୍ୟକୁ ପ୍ରବାସୀମାନେ ରହୁଥିବା ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ବଣ୍ଟନ କରାଯାଇଥିବା ଜଣାପଡ଼ିଛି । ଏହି ଚଢାଉ ସମୟରେ ପୋଲିସ ପ୍ରଶାସନିକ ଅଧିକାରୀଙ୍କ ସମେତ ରାଜସ୍ବ ନିରୀକ୍ଷକ ଶ୍ରୀକାନ୍ତ ଦୋରା , ଫକୀର ମୋହନ ରାଉତ , ଅକ୍ଷୟ ମଲ୍ଲିକ , ସନାତନ ରଣା , ଭଗବାନ ପାତ୍ର , ସରସ୍ଵତୀ କହଁର ଉପସ୍ଥିତ ଥିଲେ ।