(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଏସିଆ ମହାଦେଶର ସବୁଠାରୁ ବଡ କଫି କମ୍ପାନୀ କ୍ୟାଫେ କଫି ଡେର ସଂସ୍ଥାପକ ତଥା ମାଲିକ ବିଜି ସିଦ୍ଧାର୍ଥଙ୍କ ନିଖୋଜକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି । ସିଦ୍ଧାର୍ଥ ହଠାତ୍ ମାଙ୍ଗଲୋରରୁ ନିଖୋଜ ହୋଇଯାଇଛନ୍ତି । କରଜରେ ବୁଡିରହିଥିବାରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ନିଖୋଜ ହେବା ପୂର୍ବରୁ ସେ ବୋର୍ଡ ଅଫ୍ ଡିରେକ୍ଟର ଏବଂ ସିସିଡି ପରିବାର ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି । ଏଥିରେ କମ୍ପାନୀର ମାନ୍ଦାବସ୍ତା ଏବଂ ନିଜ ଉପରେ ଥିବା କରଜକୁ ନେଇ ବ୍ୟସ୍ତ ଥିବା ଉଲ୍ଲେଖ କରିଛନ୍ତି । ଖବର ପାଇ କନ୍ନଡ ପୋଲିସ୍ ହେଲିକ୍ୟାପ୍ଟର ଏବଂ କୋଷ୍ଟ ଗାର୍ଡର ସହୟତା ନେଇଛନ୍ତି । ୨୦୦ରୁ ଅଧିକ ଲୋକ ତାଙ୍କୁ ଖୋଜିବା କାମରେ ନିୟୋଜିତ ଅଛନ୍ତି। ଏଥିମଧ୍ୟରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ମଧ୍ୟ ଏସଏମ୍ କୃଷ୍ଣା ଏବଂ ପରିବାର ସହ ସାକ୍ଷାତ୍ କରିବା ପାଇଁ ତାଙ୍କ ବାସଭବନରେ ପହଂଚିଥିଲେ ।
ସୂଚନା ଯୋଗ୍ୟ, ସୋମବାର ସନ୍ଧ୍ୟାବେଳେ ସିଦ୍ଧାର୍ଥ କାର୍ ନେଇ ଘରୁ ବାହାରିଥିଲେ । ମାଙ୍ଗଲୋର ପାଖରେ ଥିବା ନେତ୍ରାରାବତୀ ନଦୀ ପାଖରେ ପ୍ରସ୍ତୁତ ହୋଇଥିବା ପୋଲରେ କାର୍ ଅଟକାଇ କେଉଁଆଡେ ଚାଲିଯାଇଥିଲେ । ଏହି ସ୍ଥାନଟି ବାଙ୍ଗାଲୋରରୁ ପାଖାପାଖି ୩୭୫ କି.ମି. ଦୂରରେ ରହିଛି । ଘଣ୍ଟାଏ ପରେ ଯେତେବେଳେ ମାଲିକ କାର୍ ପାଖକୁ ଆସିଲେନାହିଁ ସେତେବେଳେ ଡ୍ରାଇଭରଙ୍କୁ ଚିନ୍ତା ହେବାକୁ ଲାଗିଲା ଏବଂ ସେ ସିଦ୍ଧାର୍ଥଙ୍କୁ ଖୋଜିବାକୁ ଲାଗିଲେ । ସିଦ୍ଧାର୍ଥଙ୍କ କୌଣସି ଖବର ନ ମିଳିବାରୁ ଡ୍ରାଇଭର୍ ପରିବାର ଏବଂ ପୋଲିସଙ୍କୁ ଏନେଇ ଖବର ଦେଲେ । ପୋଲିସକୁ ମିଳିଥିବା ସୂତ୍ର ଅନୁସାରେ , ନିଖୋଜ ହେବା ପୂର୍ବରୁ ସିଦ୍ଧାର୍ଥ ନିଜ ସିଏଫଓଙ୍କ ସହ କଥାବାର୍ତ୍ତା କରି କମ୍ପାନୀର ଯତ୍ନ ନେବାକୁ କହିଥିଲେ । ତେବେ ସୂତ୍ର ଅନୁସାରେ ସିସିଡି ଉପରେ ୭ ହଜାର କୋଟି ଟଙ୍କାର କରଜ ଥିଲା ।