ଖଣି ଆନ୍ଦୋଳନରୁ ଓହରିଲା ବିଜେପି

(ଜ୍ୟୋତିରଞ୍ଜନ ଧର) କଣିହାଁ: ଜୁଲାଇ ୨୩ ତାରିଖ ଆନ୍ଦୋଳନ ଯୋଗୁଁ ଏମସିଏଲ ଭଳି ରାଷ୍ଟ୍ରାୟତ କମ୍ପାନୀ ଦୈନିକ କୋଟି କୋଟି ଟଙ୍କା କ୍ଷତି ସହୁଛି । ଏହାକୁ ନେଇ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି, କଂଗ୍ରେସର ରାଜନୀତି ଚକ୍ରବ୍ୟୁହରେ ତାଳଚେର ଉପଖଣ୍ଡରେ ଥିବା ୧୦ ଟି କୋଇଲା ଖଣି ଅଡୁଆରେ । ଏମସିଏଲ ବନ୍ଦ ଯୋଗୁଁ ଏନଟିପିସି ଓ ନାଲକୋ ରାଷ୍ଟ୍ରାୟତ ଉଦ୍ୟୋଗରେ ମଧ୍ୟ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି ।
ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର ଖଣି ଟ୍ରାଜେଡି ଘଟଣାରେ ମାଟି ଧସି ୪ ଜଣଙ୍କ ମୃତ୍ୟୁ ହେବା ସହ ୯ଜଣ ଶ୍ରମକି ଆହାତ ହେବା ପରେ ସମସ୍ତ ଖଣିର ସୁରକ୍ଷା ଦାବିରେ ଖଣି ବନ୍ଦ ଆନ୍ଦୋଳନ ହୋଇଥିଲା । ଫଳରେ ବିଭିନ୍ନ ଉଦ୍ୟୋଗ ଉପରେ ପ୍ରଭାବ ପଡିଥିଲା । ବୁଧବାର ଜିଲ୍ଲାପାଳଙ୍କ କକ୍ଷରେ ଏସମ୍ପର୍କରେ ତ୍ରିସ୍ତରୀୟ ଆଲୋଚନା ପରେ ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ କରିଛି ବିଜେପି । ଭରତପୁର ଘଟଣାରେ ଖଣି କର୍ତ୍ତୃପକ୍ଷଙ୍କ ଅବହେଳା ଓ ଖଣିରେ ସୁରକ୍ଷା ବ୍ୟବସ୍ଥା ଠିକ ନଥିବା ଅଭିଯୋଗ କରି ଖଣି ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଥିଲା ଯାହା ଦ୍ୱାରା ତାଳଚେରର ସମସ୍ତ ଖଣିରୁ ଉତ୍ପାଦନ ଓ ପରିବହନ ଠପ ହୋଇଛି ।
ଏନ.ଟି.ପି.ସି ର ୩ ୟୁନିଟରୁ ୧୫ ଶହ ମେଗାୱାଟ ବିଦ୍ୟୁତ ଉତ୍ପାଦନ ବଦଳରେ ହେଉଛି ୧୧ ଶହ ମେଗାୱାଟ । ଖାଦାନଗୁଡିକୁ ସ୍ୱାଭାବିକ କରିବା ଲକ୍ଷ୍ୟରେ ଏନେଇ ବୁଧବାର ଜିଲ୍ଲା ପ୍ରଶାସନ ଆହୂତ ରେ ଏକ ଜରୁରୀ ବୈଠକ ବସିଥିଲା । ଜିଲ୍ଲା ପ୍ରକୋଷ୍ଠ ରେ ଆନ୍ଦୋଳନକାରୀ, ଖଣି କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକ ଆୟୋଜିତ ହୋଇଥିଲା । ଏହି ତ୍ରିପାକ୍ଷିକ ସମାଧାନୀ ବୈଠକ ପର୍ୟ୍ୟାୟ କ୍ରମେ ବିଜେପି ନେତା , ତାଳଚେର ସୁରକ୍ଷା ମଞ୍ଚ , ବିଧାୟକ ଓ ସ୍ଥାନୀୟ ଲୋକଙ୍କମଧ୍ୟ୍ୟ ରେ ହୋଇଥିଲା ।