(ଶେଖ୍ ଅରଶଦ୍ ଉଲ୍ ହକ୍ ) ଖୋର୍ଦ୍ଧା : ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରି ବାହାବାହା ନେଉଥିବାବେଳେ ଯୋଜନା ଗୁଡିକର ସଫଳ ରୂପାୟନ ନିମନ୍ତେ ଆବଶ୍ୟକ ଭିିତିଭୂମି ପ୍ରତି ସଂପୂର୍ଣ୍ଣ ଭାବରେ ଆଖିବୁଜି ଦେଇଛନ୍ତି । ଫଳରେ ଜନସାଧାରଣ ଏହି ଯୋଜନା ଗୁଡିକର ସଫଳ ରୂପାୟନ ପାଇପାରୁ ନାହାଁନ୍ତି । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟ ୫ଟି କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ଓ ଗୃହ ବିଭାଗରେ ପ୍ରଚଳନ କରିଥିବାବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଦୁରଦୁରାନ୍ତରୁ ଜନସାଧାରଣ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଭରଷା କରି ଉପଯୁକ୍ତ ଚିକିତ୍ସା ସେବା ପାଇବା ନିମନ୍ତେ ଧାଇଁ ଆସୁଥିବାବେଳେ ଚିକିତ୍ସା ସେବା ନପାଇ ନିରାଶରେ ଘରକୁ ଫେରିବା ସହିତ ଆଉ କେତେକ ଦଲାଲମାନଙ୍କ ମିଥ୍ୟା ପ୍ରଲୋଭନରେ ପଡି ଯିଅନ୍ତା ଛଟପଟ ହେଉଥିବା ଦେଖିବାକୁ ମିଳିଛି । ବିଶେଷ ଅନୁସନ୍ଧାରୁ ଜଣାପଡିଛି ଯେ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ସଂଖ୍ୟା ୧୪୦ଟି ବେଡ୍ ନିମନ୍ତେ ୭୫ଜଣ ଥିବାବେଳେ, ବର୍ତମାନ ବେଡ୍ ସଂଖ୍ୟା ୨୦୦ରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ୩୪ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି । ଏପରିକି କୌଣସି ବିଭାଗର ଡାକ୍ତର ଛୁଟିରେ ଗଲେ ସେହି ବିଭାଗଟି ସଂପୂର୍ଣ୍ଣ ଭାବରେ ବନ୍ଦ ରହୁଛି । ଫଳରେ ଚିକିତ୍ସା ପାଇଁ ଦୁରଦୁରାନ୍ତରୁ ଆସୁଥିବା ରୋଗୀ ଡାକ୍ତରଙ୍କ ସାକ୍ଷାତ ନପାଇ ନିରାସରେ ଘରକୁ ଫେରୁଛନ୍ତି । ଏସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦାୟୀତ୍ୱରେ ଥିବା ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ମହାଶୟ କହିଥିଲେ ଆମେ କିଛି କରିପାରିବୁ ନାହିଁ, ପ୍ରତି ଛଅ ମାସରେ ଥରେ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଡାକ୍ତର ଏବଂ କର୍ମଚାରୀଙ୍କ ସଂଖ୍ୟା ବିଷୟରେ ଆମେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରୁଛୁ ସରକାର ଯାହାକିଛି ପଦକ୍ଷେପ ନେବେ । ନିକଟରେ ଅର୍ଥପେଡିକ ଡାକ୍ତର ଛୁଟିରେ ଥିବାରୁ ବହୁ ସଂଖ୍ୟାରେ ରୋଗୀ ଦୁରଦୁରାନ୍ତରୁ ଆସି ନିରାଶ ହୋଇ ଫେରିଥିଲେ । ଏପରିକି ଡାକ୍ତରମାନେ ଲେଖୁଥିବା ଅଧିକାଂଶ ଔଷଧ ନିରାମୟ କେନ୍ଦ୍ର ଗୁଡିକରେ ମିଳୁନଥିବାବେଳେ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ବାହାରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଟି ଆଜି ଏକ ରେଫରାଲ ଚିକିତ୍ସାଳୟ ଭାବରେ ପରିଗଣିତ ହୋଇଥିବାବେଳେ ଜନସାଧାରଣଙ୍କର ଆଶା ଓ ଭରଷା ତୁଟି ଯାଇଛି । ଏସଂପର୍କରେ ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେବା ସହ ଖାଲିଥିବା ସମସ୍ତ ଡାକ୍ତର ପଦବୀ ପୂରଣ, ବେଡ ସଂଖ୍ୟା ଅନୁସାରେ ଡାକ୍ତର ପଦବୀ ବୃଦ୍ଧି କରିବା ଓ ନିରାମୟ କେନ୍ଦ୍ରରେ ସମସ୍ତ ଔଷଧ ଗଚ୍ଛିତ ରଖିବା ନେଇ ସାଧାରଣରେ ଦାବୀ ହେଉଛି ।