ଭୁବନେଶ୍ୱର: ଗତ ୩ବର୍ଷର ‘ ରାଜ୍ୟଚଳଚ୍ଚିତ୍ର ପୁରସ୍କାର’ ଖୁବ ଶୀଘ୍ର ଦିଆଯିବ । ଏନେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ କରାଯାଇଛି । ୨୦୨୦ରୁ ୨୦୨୨ ମସିହା ପର୍ଯ୍ୟନ୍ତ ୩୨,୩୩ ଓ ୩୪ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଏହି ଦରଖାସ୍ତ ଦିଆଯାଇଛି । ତେବେ ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ସେମାନଙ୍କ ପ୍ରଯୋଜିତ ମୌଳିକ ଓଡିଆ ଚଳଚ୍ଚିତ୍ର ଗୁଡିକ ଏଣ୍ଟି ଫର୍ମ ଓ ମନୋନୟନ ପତ୍ର ପୂରଣ କରି ସଂସ୍କୃତି ବିଭାଗର ୱେବସାଇଟରେ ଦର୍ଶାଯାଇଥିବା କାଗଜପତ୍ର ସହ ଆବେଦନ କରିପାରିବେ । ଏହା ସହ ଓଡିଆ ଚଳଚ୍ଚିତ୍ର ଉପରେ ଓଡିଆ ବା ଇଂରାଜୀ ଭାଷାରେ ଲିଖିତ ଶ୍ରେଷ୍ଠ ଲେଖା ପାଇଁ ପୁରସ୍କାର ନିମନ୍ତେ ଆଗ୍ରହୀ ଲେଖକ ଲେଖିକା ମାନେ ବିଭାଗର ୱେବସାଇଟରେ ଉପଲବ୍ଧ ଥିବା ଆବେଦନ କରିପାରିବେ । ଏଥି ପାଇଁ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ଦାଖଲ କରିବାକୁ ସଂସ୍କୃତି ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ବିଜ୍ଞପ୍ତି ଯାରି କରିଛନ୍ତି । କେବଳ ଓଡ଼ିଆ ଭାଷା ଓ ଓଡ଼ିଆ ଜନଜାତି ଭାଷାରେ ରାଜ୍ୟରେ ନିର୍ମିତ ମୌଳିକ ଚଳଚ୍ଚିତ୍ରଗୁଡ଼ିକୁ ପୁରସ୍କାର ପାଇଁ ଦାଖଲ କରାଯାଇପାରିବ। କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ପ୍ରାଧିକୃତ ଏଜେନ୍ସି ଦ୍ବାରା ଶ୍ରେଷ୍ଠ ଆଦିବାସୀ ଭାଷା ଚଳଚ୍ଚିତ୍ର, ଶ୍ରେଷ୍ଠ ଶିଶୁଭିତ୍ତିକ ଚଳଚ୍ଚିତ୍ର, ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର ଓ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ପୁରସ୍କାର ବ୍ୟତୀତ ଅନ୍ୟ କୌଣସି ଚଳଚ୍ଚିତ୍ର ପୁରସ୍କାର ପାଇଁ ବିବେଚନା କରାଯିବ ନାହିଁ।