ଗୁଣି ଗାରେଡି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ମାଲକାନଗିରି ଜିଲ୍ଲା ପୋଟେରୁ ଥାନା ଅନ୍ତର୍ଗତ ଇନ୍ତାଗୁଡ଼ା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଉକ୍ତ ଜିଲ୍ଲାର ଖାପ୍ ପଞ୍ଚାୟତରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି।
ସୂଚନାନୁସାରେ, ଗୁଣି ସନ୍ଦେହକୁ ନେଇ ଗତକାଲି ଗ୍ରାମରେ ଖାପ୍ ପଞ୍ଚାୟତ ବସିଥିଲା। ଗୁଣିଗାରେଡ଼ି କରି ଗ୍ରାମର ଇମାର୍ କାର୍ତାମୀ ଜଣଙ୍କୁ ମାରିଦେଇଥିବା ଅଭିଯୋଗ ଉପରେ ବିଚାର କରାଯାଉଥିଲା। ଏନେଇ ଇମାର ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହାପରେ ତାଙ୍କୁ କିଛି ଅଭିଯୁକ୍ତ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ । ଠେଙ୍ଗାମାଡ଼ରେ ମୁଣ୍ଡ ଓ ଶରୀରର ବିଭିନ୍ନ ଅଂଶରେ ଶକ୍ତ ଆଘାତ ଯୋଗୁ ଇମାରଙ୍କ  ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆଜି ମୃତ ଇମାରଙ୍କ ପତ୍ନୀ ଯୋଗୀ ପୋଟେରୁ ଫାଣ୍ତିରେ ୧୦ଜଣ ଅଭିଯୁକ୍ତଙ୍କ ନାମରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଉକ୍ତ ଗ୍ରାମରେ ଚଢ଼ଉ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି । ହତ୍ୟାକାଣ୍ତରେ ବ୍ୟବହୃତ ଠେଙ୍ଗାକୁ ପୋଲିସ ଜବତ କରିଛି । ଏ ସଂପର୍କରେ ପୋଲିସ ଅଧିକ ଅନୁସଂଧାନ ଜାରି ରଖିଥିବାବେଳେ ମୃତ ଇମାରଙ୍କ ଶବକୁ କାଲିମେଳା ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏ ସଂପର୍କରେ ପୋଲିସ ଅଧିକ ତଦନ୍ତ କରୁଥିବା ଜଣାଯାଇଛି ।