(ଚିତ୍ତରଞ୍ଜନ ସାହୁ /ବରଗଡ): ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଶ୍ରୀ ଦଧିବାମନ ଧାମ ଭଟଲିଠାରେ ପ୍ରସିଦ୍ଧ ରଥଯାତ୍ରା ଲକ୍ଷାଧିକ ଭକ୍ତଙ୍କ ଗହଣରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜଗତରକର୍ତ୍ତା ମହାପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଛାଡି ରଥାରୂଢ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ଏଥିପାଇଁ ଗୁରୁବାର ପ୍ରତ୍ୟୁଷରୁ ପ୍ରଭୁଙ୍କ ଦୈନିକ ପୂଜାନୀତି ତଥା ପହଡଭଙ୍ଗ,ଦ୍ୱାରଫିଟା ନୀତି,ମଙ୍ଗଳପ୍ରଦୀପ,ସୂର୍ଯ୍ୟପୂଜା,ଅବକାଶ ନୀତି,ମଇଲମ ଓ ବେଶ ପରିବର୍ତ୍ତନ,ଗୋପାଳବଲ୍ଲଭ ଭୋଗ ଲାଗି ,ଦ୍ୱାରପାଳ ପୂଜା,ରୋଷ ପୂଜା, ସକାଳଧୂପ ଅନୁଷ୍ଠିତ ହେବା ପରେ ପ୍ରଭୁଙ୍କ ସାହାଣମେଳା ଅନୁଷ୍ଠିତ ହୋଇଥିଲା । ଏହାପରେ ଦଧିବାମନଙ୍କ ଘୋଷଯାତ୍ରା ପାଇଁ ପହଣ୍ଡିପୂଜା ଆରମ୍ଭ ହୋଇଥିଲା । ପହଣ୍ଡିପୂଜା ପରେ ମଙ୍ଗଳର୍ପଣ ଶେଷ ହେବା ସହିତ ଇଟଲି ଗୌନ୍ତିଆଙ୍କ ଦ୍ୱାରା ଛେରାପହରା ଆରମ୍ଭ ହୋଇଥିଲା । ଏହାପରେ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ବଡଦାଣ୍ଡକୁ ବିଜେ କରିଥିଲେ । ଲୋକଙ୍କ ବିଶ୍ୱାସ ରହିଛି ଦଧିବାମନ ଜଗନ୍ନାଥଙ୍କ ବାଲ୍ୟ ଅବତାର ହୋଇଥିବା ଯୋଗୁଁ ନବଜାତ ଶିଶୁମାନଙ୍କୁ ଅନ୍ନ ପ୍ରଶ୍ନ ପରେ ତାଙ୍କୁ ସ୍ପର୍ଶ କଲେ ରୋଗବ୍ୟଧିରୁ ମୁକ୍ତି ମିଳିବ ସହ ଆୟୁଷ ବୃଦ୍ଧି ହୋଇଥାଏ ।