(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ବାଲିସାହିରେ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତ ଶ୍ରମିକ ହେଲେ ସିପୁ ସାହୁ ଏବଂ ଆହତ ୨ ଜଣ ଶ୍ରମିକ ଜୟନ୍ତ ସାହୁ ଓ ଅଜିତ ସାହୁ । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ମୃତକଙ୍କ ପରିବାର ଲୋକେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଡାକ୍ତରଖାନାରେ ଚାପା ଉତ୍ତେଜନା ଲାଗିରହିଛି।
ସୂଚନା ଅନୁସାରେ ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ବାଲିସାହିରେ ଆଜି ପୂର୍ବାହ୍ନରେ ଡିଲେଶ୍ୱର ମୁଦୁଲିଙ୍କର ଘର ଭଙ୍ଗାଯାଉଥିଲା। ଏହି କାର୍ୟ୍ୟରେ ସିପୁ ସାହୁଙ୍କ ସହିତ ଆହତ ଜୟନ୍ତ ସାହୁ ଏବଂ ଅଜିତ ସାହୁ । ବୀରେନ୍ଦ୍ର ସାହୁ ନାମରେ ଜଣେ ଯୁବକ ଓ ଘରମାଲିକ ଡିଲେଶ୍ୱର ମୁଦୁଲି ନିୟୋଜିତ ଥିଲେ। ଘରର ଛାତ ଉପରେ ମାଲିକ ଡିଲେଶ୍ୱର ଓ ବୀରେନ୍ଦ୍ର ଥିବା ବେଳେ ଛାତ ତଳେ ଥିଲେ ସିପୁ, ଜୟନ୍ତ ଓ ଅଜିତ। ଘରଛାତରେ ଥିବା ଲୁହାଛଡ଼ଗୁଡ଼ିକୁ କଟର ସାହାଯ୍ୟରେ କଟାଯାଉଥିବା ବେଳେ ଛାତ ଗଳିପଡ଼ିଥିଲା। ଫଳରେ ସିପୁ, ଜୟନ୍ତ ଓ ଅଜିତ ଗୁରୁତର ହୋଇଥିଲେ। ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସିପୁର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଡିଲେଶ୍ୱର ଓ ବୀରେନ୍ଦ୍ର ସାମାନ୍ୟ ଆହତ ହୋଇଥିଲେ। ହସ୍ପିଟାଲରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବାରୁ ପୋଲିସ ଘଟଣାସ୍ଥୂରେ ପହଞ୍ଚି ନଜର ରଖିଛି ।