ଚକଲେଟ୍ ଜରି ସଂଗ୍ରହ ଯାହା ପାଇଁ ନିଶା…

0

(ଦୀପକ ମିଶ୍ର/ଉଦଳା): ପିଲାଦିନେ ସମସ୍ତଙ୍କ ମଧ୍ୟରେ କିଛି ନିର୍ଦ୍ଦିଷ୍ଟ ଧରଣର ରୁଚି ରହିଥାଏ । କିଏ ଡାକ ଟିକଟ ତ କିଏ ପୁରୁଣା ଖବର କାଗଜ ଓ ପୁରାତନ କାଳରେ ପ୍ରଚଳିତ ମୁଦ୍ରାକୁ ସଂଗ୍ରହ କରିବାରେ ରୁଚି ରଖିଥାନ୍ତି । ଏହି ରୁଚି କାଳକ୍ରମେ ନିଶାରେ ପରିଣତ ହୋଇଥାଏ । ତେବେ ନିଜ ରୁଚିକୁ ଏବେ ନିଶାରେ ପରିଣତ କରିଛନ୍ତି ମୟୁରଭଞ୍ଜ ଜିଲ୍ଲା ଉଦଳା ମେଣ୍ଡାଖାଇ ଅଞ୍ଚଳର ଝିଅ ପ୍ରଜ୍ଞାପରମିତା ମନ୍ତ୍ରୀ । ପ୍ରଜ୍ଞା ପିଲାଦିନେ ଚକଲେଟ୍ ଖାଇ ତାର ଜରି ସଂଗ୍ରହ କରୁଥିଲେ । ସେବେଠାରୁ ସେ ବିଭିନ୍ନ ଦେଶର ଚକଲେଟ ଖାଇବା ସହ ତାର ଜରି ସଂଗ୍ରହ କରି ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଆଜି ପର୍ଯ୍ୟନ୍ତ ସେ ବିଭିନ୍ନ ପ୍ରକାରର ୫ ହଜାରରୁ ଅଧିକ ଚକଲେଟ୍ ଜରି ସଂଗ୍ରହ କରିସାରିଲେଣି । ବାହାର ଦେଶର ସଂଗ୍ରହକାରୀଙ୍କ ସହ ଫେସବୁକ ମାଧ୍ୟମରେ ପ୍ରଜ୍ଞା ବନ୍ଧୁତା କରି ତାଙ୍କର ଏହି ନିଶାକୁ ଆଗକୁ ବଢାଇ ପାରିଛନ୍ତି । ଏ କ୍ଷେତ୍ରରେ ତାଙ୍କ ପରିବାର ଲୋକେ ସହଯୋଗ କରୁଥିବା ବେଳେ ଆଗାମୀ ଦିନରେ ବହୁ ରେକର୍ଡର ଅଧିକାରୀ ହେବା ପାଇଁ ପ୍ରଜ୍ଞା ଆଶା ବାନ୍ଧିଥିବା କହିଛନ୍ତି । ତେବେ ପ୍ରଜ୍ଞା ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ବାପାଙ୍କ ଡାକ ଟିକଟ ସଂଗ୍ରହ ପ୍ରତି ଥିବା ରୁଚିକୁ ଦେଖି ସେହିପରି କିଛି କରିବାକୁ ତାଙ୍କ ମଧ୍ୟରେ ପ୍ରବଳ ଇଚ୍ଛା ପ୍ରକାଶ ପାଇଥିଲା । ଏବେ ସେ +୩ ବିଜ୍ଞାନ ଶେଷ ବର୍ଷରେ ଅଧ୍ୟୟନ କରିବା ସହ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ଟି ଦେଶରୁ ଚକଲେଟ୍ ଜରି ସଂଗ୍ରହ କରିଥିବା ତାଙ୍କ ବାପା କହିଛନ୍ତି । ସେହିପରି ପିଲା ଦିନରୁ ସେଲିବ୍ରିଟି ହେବା ଆଶା ନେଇ କିଛି ବଡ କରି ଦେଖାଇବାକୁ ପ୍ରଜ୍ଞାଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଥିବା ତାଙ୍କ ବଡ ଭଉଣୀ କହିଛନ୍ତି ।