(ତ୍ରିଲୋଚନ/ଭୁବନେଶ୍ୱର): ଜାଲ ଦସ୍ତାବିଜକୁ ନେଇ ବିଜେପି ନିର୍ବାଚନୀ ମାହୋଲକୁ ପ୍ରଭାବିତ କରୁଛି, ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦୁଇ ଦିନ ତଳେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାକୁ ନେଇ ବିଜେଡି ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି । ନିର୍ବାଚନ କମିଶନ ବିଜେପି ଚାପରେ ନିଷ୍କ୍ରିୟ ଥିବା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ।
ସେ କହିଥିଲେ, ଦୁଇ ଦିନ ତଳେ ବିଜେପିର ଜାଲ ଦସ୍ତାବିଜକୁ ନେଇ ବିଜେପି ନିର୍ବାଚନୀ ମାହୋଲକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଓ ବିଭ୍ରାନ୍ତ ସୃଷ୍ଟି କରୁଥିବା ନେଇ ସିଇଓଙ୍କ ନିକଟରେ ଅଭିଯୋଗ ହୋଇଥିଲା । କିନ୍ତୁ ଏଯାବତ୍ ସିଇଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ସସ୍ମିତ ପ୍ରଶ୍ନ କରିବା ସହ ଏହାକୁ ନେଇ ପୁଣି ସିଇଓଙ୍କୁ ଏକ ଦାବି ପତ୍ର ଆଜି ବିଜେଡି ଦେବ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି, ସିଇଓଙ୍କ ଏପରି ନିଷ୍କ୍ରିୟତାରୁ ଜଣା ପଡୁଛି, ଏକ ଦଳର ଚାପରେ ନିର୍ବାଚନ କମିଶନ ବିଜେପି ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ।