(ଜ୍ୟୋତିରଞ୍ଜନ ଧର)କଣିହାଁ : ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ଖୋଲାମୁହଁ କୋଇଲା ଖାଦାନରେ ନିୟୋଜିତ ଟ୍ରକ ଚାଳକଙ୍କ ପକ୍ଷରୁ ରବିବାର ଖଣିବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ଫଳରେ ଖାଦାନରେ କୋଇଲା ଉତ୍ତୋଳନ ଓ ପରିବହନ ସଂପୂର୍ଣ୍ଣ ବନ୍ଦ ହୋଇଛି । ଅନୁରୂପ ଭାବରେ ଶନିବାର ଅପରାହ୍ନରେ ଜରଡ଼ା ଗ୍ରାମବାସୀ ପକ୍ଷରୁ ଖାଦାନରେ ନିଯୁକ୍ତି ଓ ଥଇଥାନ ଦାବୀ ନେଇ ଖଣି ବନ୍ଦ ଆନ୍ଦୋଳନ କରିଥିଲେ । ଏନେଇ ଗତକାଲି ରାତ୍ରିରେ ଉଭୟେ ଗ୍ରାମବାସୀ ଓ ଖଣି କର୍ତ୍ତୃପକ୍ଷ ଆପୋଷ ଆଲୋଚନାରେ ଖଣି କାର୍ୟ୍ୟ ସ୍ୱାଭାବିକ ହୋଇଥିଲା । ଖଣି କର୍ତ୍ତୃପକ୍ଷ ଗ୍ରାମବାସୀ ଖଣି ବନ୍ଦକୁ ଦୃଷ୍ଟି ରଖି ଗତକାଲି କୋଇଲା ଖଣି କାର୍ୟ୍ୟ କରୁଥିବା ଠିକା ସଂସ୍ଥା ଅଧୀନରେ କାର୍ୟ୍ୟରତ ଶ୍ରମିକ ମାନଙ୍କୁ ‘କାମ ନାହିଁତ ଦରମା ନାହିଁ’ (ନୋ ୱାକ ନୋ ପେ ) ନୋଟିସ ଜାରୀ କରିଥିଲା ।ଏହି ନୋଟିସ ସମ୍ପର୍କରେ ଆଜି ସକାଳ ‘ଏ’ ସିଫ୍ଟ କୁ ଆସିଥିବା ଚାଳକ ଜାଣିବା ପରେ କାହିଁକି ଠିକା ସଂସ୍ଥା ଏହାକୁ କାର୍ୟ୍ୟକାରୀ ବିରୋଧ କରି ଚାଳକ ମାନଙ୍କ ପକ୍ଷରୁ ଖାଦାନ ବନ୍ଦ ଆନ୍ଦୋଳନ କରିଥିଲେ । ଖଣିରେ ନିୟୋଜିତ ଚାଳକ ମାନଙ୍କର ଏଭଳି ଦବଙ୍ଗଗିରି ଓ ବେଆଇନ ଧର୍ମଘଟ କୁ ସାଧାରଣରେ ନାପସନ୍ଦ କରାଯାଇଛି । ଚାଳକଙ୍କ ଧର୍ମଘଟ ଯୋଗୁଁ ଖଣିରେ କୋଇଲା ଉତ୍ତୋଳନ ଓ ପରିବହନ କାର୍ୟ୍ୟରେ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ଏବଂ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ହୋଇଥିବା ଖାଦାନ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ପାଇଛି । ବାରମ୍ବାର ଏଭଳି ଖଣି ବନ୍ଦ ଯୋଗୁଁ ଶ୍ରମିକ ସଗଂଠନ କର୍ମକର୍ତ୍ତାଙ୍କ ପକ୍ଷରୁ ନିନ୍ଦା ପ୍ରକଟ କରାଯିବା ସହିତ ବେଆଇନ ଆନ୍ଦୋଳନ କାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ୟ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି। ଅପରପକ୍ଷରେ ଖଣି କର୍ତ୍ତୃପକ୍ଷ ଓ ଠିକା କମ୍ପାନୀ ପକ୍ଷରୁ ଆଲୋଚନା କରିବା ପ୍ରସ୍ତାବ ଦେଇଥିଲେ ମଧ୍ୟ ଚାଳକ ମାନେ ତାହାକୁ ବାରଣ କରିଥିଲେ । ଚାଳକ ମାନଙ୍କର ବେଆଇନ ଖଣି ବନ୍ଦ ଆନ୍ଦୋଳନ ସମ୍ପର୍କରେ ଭିଏଫପିଏଲ ତଥା ଏଏସ ଆଇପିଏଲ ଠିକା କମ୍ପାନୀ ମୂଖ୍ୟ ଅଧିକାରୀ କେ.ସି.ସାହୁଙ୍କ ପକ୍ଷରୁ ଆଜି କଣିହାଁ ଥାନାରେ ଅଭିଯୋଗ କରାଯାଇଛି । ଏଭଳି ଢଙ୍ଗରେ ଖଣି ବନ୍ଦ ହେଲେ ଜମିହରା ପ୍ରଜାଙ୍କ ନିଯୁକ୍ତି ଓ ଥଇଥାନ ଉପରେ ପ୍ରଭାବ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।