(ରଜନୀକାନ୍ତ ପାତ୍ର / ଗଞ୍ଜାମ): ହିଞ୍ଜିଳି ଥାନା ଆଡ଼ପଡ଼ା ଫାଣ୍ଡି ମୋହିଗୁଡ଼ା ଗ୍ରାମର ନିକଟସ୍ଥ ଚାଷ ଜମି ନିକଟରୁ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ଦନାର୍ଦ୍ଦନ ଲେଙ୍କା (୩୬) । ଏ ନେଇ ହିଞ୍ଜିଳି ଥାନାରେ ନଂ-୩୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ ଯୁବକ ଜଣକ ଗ୍ରାମ ନିକଟସ୍ଥ ଚାଷ ଜମିକୁ ଯାଇ ଫେରିନଥିଲେ । ସନ୍ଧ୍ୟା ସୁଦ୍ଧା ଯୁବକ ଜଣକ ଘରକୁ ନଫେରିବାରୁ ପରିବାର ସଦସ୍ୟ ଖୋଜାଖୋଜି କରିବା ବେଳେ ଚାଷ ଜମିରେ ଯୁବକଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ । ଯୁବକଙ୍କ ଗୋଡ଼ରେ ସାପ କାମୁଡ଼ା ଚିହ୍ନ ରହିଥିବାରୁ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି ।