ଚୀନରେ ମୋଦିଙ୍କ କାର୍ଯ୍ୟକୁ ପ୍ରଶଂସା

0

ବେଜିଂ: ଭାରତ ଚୀନ ସମ୍ପର୍କ ଉପରକୁ ଭଲ ଥିଲେ ମଧ୍ୟ ଭିତରେ ଭିତରେ ଚେର କଟାକଟି ଚାଲିଛି । ବିଶେଷ କରି ଚୀନ ସର୍ବଦା ଭାରତର ଗୋଡ଼ଭିଡ଼ିବା ସହ ନାନାପ୍ରକାର ହଇରାଣ କରିବାକୁ ଚାହିଁ ବସିଥାଏ । ଏବେବି କିଛି ମାସ ହେଲା ସୀମାରେ ସୈନ୍ୟ ଠୁଳ ସହ ଅନୁପ୍ରବେଶ ଉଦ୍ୟମ କରି ଭାରତକୁ ହଇରାଣ କରୁଛି । ଏହାରି ଭିତରେ ଚୀନର ସରକାରୀ ସମ୍ବାଦପତ୍ର ଗ୍ଲୋବାଲ ଟାଇମସ୍ ପକ୍ଷରୁ ଦୁଇଦେଶର ପୂର୍ବାପର ସ୍ଥୀତିକୁ ନେଇ କରାଯାଇଥିବା ସର୍ଭେରୁ ପ୍ରକାଶିତ ଏକ ତଥ୍ୟ ଭାରତ କଣ ବିଶ୍ୱର ଅନେକ ଦେଶକୁ ଆଶ୍ଚର୍ଯ୍ୟ କରିଛି । ଏଥିରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ଚୀନର ଅଧାରୁ ଅଧିକ ନାଗରିକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ କରନ୍ତି । ଏହି ସର୍ଭେରେ ଭାଗନେଇଥିବା ୫୧% ଚୀନ ନାଗରିକ ମୋଦିଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରୁଥିବା ବେଳେ ୭୦% ଲୋକ ଭାରତରେ ଅବଶ୍ୟକଠାରୁ ଅଧିକ ଚୀନ ବିରୋଧି ମନୋଭାବ ରହିଛି ବୋଲି ମତ ଦେଇଛନ୍ତି । ସେହିଭଳି ୩୦% ଲୋକ ଆଗାମୀ ଦିନରେ ଉଭୟ ଦେଶର ସମ୍ପର୍କ ଭଲ ହେବ ବୋଲି ମତ ଦେଇଛନ୍ତି । କେବଳ ସେତିକି ନୁହେଁ ଋଷ, ଜାପାନ, ପାକିସ୍ତାନ ପରେ ଭାରତ ପସନ୍ଦର ଦେଶ ବୋଲି ଏହି ସର୍ଭେରେ ଭାଗ ନେଇଥିବା ଚୀନର ଅଧିକାଂଶ ନାଗରିକ ମତ ଦେଇଛନ୍ତି ।