ଜନଗହଳି ବଜାରରୁ ଲୁଟିନେଲେ ଅଢେଇ ଲକ୍ଷଟଙ୍କା

0

କଣିହାଁ /ଜ୍ୟୋତିରଞ୍ଜନ ଧର : ବାଇକ ଡ଼ିକି ଭାଙ୍ଗି ଜନଗହଳି ପୂର୍ଣ୍ଣ ବଜାରରୁ ଦୁର୍ବୃତ୍ତ ଲୁଟିନେଇଛନ୍ତି ଅଢେଇ ଲକ୍ଷଟଙ୍କା । ସ୍ଥାନୀୟ ବ୍ୟାଙ୍କରୁ ଟଙ୍କା ଉଠାଇ ବନ୍ଧୁଙ୍କ ଘରକୁ ଯାଇ ଫେରିବା ବେଳେ ଜନଗହଳି ବଜାର ଭିତରୁ ସ୍ପଷ୍ଟ ଦିବାଲୋକରେ ଡିକି ଭାଙ୍ଗି ଟଙ୍କା ଲୁଟି ନେଲେ ଲୁଟେରା । ଆଜି ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଧିନସ୍ତ କୋଶଳା ଦୈନିକ ବଜାରରେ । ପ୍ରାପ୍ତ ସୂଚନା ମୁତାବକ, ଜିଲ୍ଲାସ୍ଥ କୋଶଳା ଗାଁର ଅବସରପ୍ରାପ୍ତ ଶିକ୍ଷକ ଜଳନ୍ଧର ପ୍ରଧାନ, ଛେଣ୍ଡିପଦା ଏସବିଆଇ ଶାଖାରୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିଲେ । ତେବେ କୋଶଳା ବଜାରରେ ଥିବା ଜଣେ ବନ୍ଧୁଙ୍କୁ କିଛି ଟଙ୍କା ଦେବା ପାଇଁ ତାଙ୍କ ଘର ଆଗରେ ଗାଡି ରଖି ବନ୍ଧୁଙ୍କ ଘରକୁ ଯାଇଥିଲେ ।
ତେବେ ବନ୍ଧୁ ନ ଥିବା ଯୋଗୁଁ ସଙ୍ଗେ ସଙ୍ଗେ ଫେରି ଦେଖିବା ବେଳକୁ ମୋଟରସାଇକେଲର ଡିକି ଭଙ୍ଗା ଯାଇଥିବା ଦେଖିଥିଲେ । ଆଉ ଡିକିରୁ ଟଙ୍କା ମଧ୍ୟ ଗାଏବ ହୋଇ ଯାଇଥିବା ଦେଖି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଲୁଟେରା ମାନଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ସୁରାକ ମିଳି ନଥିବା ଥାନାସୂତ୍ରରୁ ପ୍ରକାଶ । ତେବେ ଏକ ଜନ ଗହଳି ପୂର୍ଣ୍ଣ ସ୍ଥାନରୁ ଏଭଳି ଡିକି ଭାଙ୍ଗି ଟଙ୍କା ଲୁଟି ନେବା ଘଟଣା ସ୍ଥାନୀୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟିରେ ଏଭଳି କାଣ୍ଡ ଭିଆଇଥିବା ସବୁଠି ଯୋର ଚର୍ଚ୍ଚା ଧରିଛି ।