(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇଛନ୍ତି। ନିର୍ମଳା ନାରୀ ତୁ ନାରାୟଣୀ କହି ମହିଳାଙ୍କ ବିକାଶ ଲାଗି ସରକାର ବଜେଟରେ କି କି ବ୍ୟବସ୍ଥା ରଖିଛନ୍ତି ତାହା ଉପସ୍ଥାପନ କରିଥିଲେ। ମହିଳାଙ୍କ ବିକାଶରେ ଦେଶର ବିକାଶ ସମ୍ଭବ। ଏହାକୁ ସରକାର ବୁଝିବା ସହ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଥିବା ମହିଳାଙ୍କୁ ଜନଧନ ଖାତାରେ ଓଭର ଡ୍ରାଫ୍ଟ ସୁବିଧା ପ୍ରଦାନ କରାଯିବ । ଜନଧନ ଖାତାଧାରୀ ମହିଳାଙ୍କ ପାଇଁ ୫୦୦୦ ଟଙ୍କାର ଓଭରଡ୍ରାଫ୍ଟ ସୁବିଧା ମିଳିବ ।
ସେହିପରି ମୁଦ୍ରା ଯୋଜନା ଅଧୀନରେ ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ମହିଳାଙ୍କୁ ଏକ ଲକ୍ଷ ଟଙ୍କାର ଋଣ ମିଳିବ । ଉଜ୍ୱଳା ଯୋଜନା ଦ୍ୱାରା ୭ କୋଟି ଘରଙ୍କୁ ଗ୍ୟାସ କନେକ୍ସନ ଯୋଗାଇ ଦିଆଯିବା ପାଇଁ କହିଛନ୍ତି ଅର୍ଥମନ୍ତ୍ରୀ । ୨୦୨୨ ସୁଦ୍ଧା ଭାରତର ସମସ୍ତ ଗ୍ରାମରେ ଉଜ୍ୱଳା ଯୋଜନା ଜରିଆରେ ମହିଳାଙ୍କୁ ଗ୍ୟାସ ଯୋଗାଇ ଦିଆଯିବ । ବଜେଟ୍ ଅଭିଭାଷଣରେ ସେ କହିଲେ ଯେ ମହିଳା ଔଦ୍ୟୋଗିକତାକୁ ପ୍ରୋତ୍ସାହନ ଦେବା ପାଇଁ ଭାରତର ସବୁ ଜିଲ୍ଲାକୁ ଏସ୍ଏଚ୍ଜି ଇଣ୍ଟର୍ନେଟ୍ ସବ୍ଭେଣ୍ଟିସନ୍ ପ୍ରୋଗ୍ରାମ ଲାଗୁ କରାଯିବ।