(ଦେବଗଡ) ; ଜମିବିବାଦକୁ ନେଇ ଟାଙ୍ଗିଆରେ ଆକ୍ରମଣ ଜଣେ ମୃତ ଆଉ ଜଣେ ଗୁରୁତର ଆହତ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ଗାଡପାଳ ଗ୍ରାମରେ । ସୂଚନାଅନୁଯାୟୀ , ଗାଡପାଳ ଗ୍ରାମର ବିଧବା ମହିଳା ଦରଥିଆ କୁଲୁ ସ୍ବାମୀ ପ୍ରଫୁଲ୍ଲ କୁଲୁଙ୍କ ମୃତ୍ୟୁ ପରେ ନିଜ ପରିବାର ସହ ଗ୍ରାମରେ ରହୁଥିଲେ। ବୁଧବାର ରାତି ପ୍ରାୟ ୧୧ଟାରେ ଦରଥିଆଙ୍କ ପୁଅ ପ୍ରୀତମକୁ ପଡୋଶୀ ନିନ୍ଦରା ଶବର ଓ ତାଙ୍କ ପୁଅମାନେ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଦରଥିଆ ପୁଅକୁ ବଞ୍ଚାଇବାକୁ ଯାଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିବା ପରେ ଘଟଣାସ୍ଥଳରେୁ ଅଭିଯୁକ୍ତମାନେ ପଳାଇ ଯାଇଥିଲେ । ସେମାନଙ୍କ ଯୀବା ପରେ ପରେ ବିବାହିତା ଝିଅ ପ୍ରିୟା, ମା’ ଓ ଭାଇଙ୍କୁ ରକ୍ତାକ୍ତ ଅବସ୍ଥାରେ ଘର ମଧ୍ୟରୁ ନେଇ ନିଜର ସମ୍ପର୍କୀୟଙ୍କୁ ଡାକିଥିଲେ। ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଦେବଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମା’ ଦରଥିଆ କୁଲୁଙ୍କୁ ମୃତ ଘୋଷଣା କରିଥିଲେ । ପୁଅ ପ୍ରୀତମ କୁଲୁଙ୍କୁ ଗୁରୁତର ଆହତ ଅବସ୍ଥାରେ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ ଦୁଇ ପରିବାର ମଧ୍ୟରେ ଜମିବାଡି ବିବାଦ ଲାଗି ରହିଥିଲା । ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କ କହିବା କଥା ରାତିରେ ତାଙ୍କ ଝିଅ ସହ ପ୍ରୀତମକୁ ପୋଖରୀ କୂଳରେ ଦେଖିବା ପରେ ନିନ୍ଦରା ଏନେଇ ଦରଥିଆଙ୍କୁ ଅଭିଯୋଗ କରିଥିଲେ । ଏନେଇ ଉଭୟ ପରିବାର ମଧ୍ୟରେ ବଚସା ହେବାରୁ ଅଭିଯୁକ୍ତମାନେ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଦେବଗଡ ଆଦର୍ଶ ଥାନା ପୋଲିସ ଅଭିଯୁକ୍ତ ନିନ୍ଦରା ଶବର, ତାଙ୍କ ସ୍ତ୍ରୀ ବାସନ୍ତୀ ଶବର ଓ ତାଙ୍କର ୪ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।