(ହରପ୍ରସାଦ ବିଶୋଇ)ରିପୋର୍ଟସଟୁଡେ: ଜାଗ୍ରିତି ଯାତ୍ରାରେ ସାରା ଭାରତ ଭ୍ରମଣ କରିବେ ଓଡିଆ ଉଦ୍ୟୋଗୀ । ଓଡି।। ଦକ୍ଷତା ବିକାଶ ପ୍ରଧିକରଣ ତତ୍ତ୍ୱାବଧାନରେ ଓଡିଶାରୁ ୧୦ ଜଣ ନାନୋ ୟୁନିକର୍ଣ୍ଣ ଓ ୧୦ଜଣ ଷ୍ଟାର୍ଟ ଅପ୍ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ।
ଓଡିଶାର ଏହି ଉଦ୍ୟୋଗୀମାନେ ଆଜି ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ । ତେଣୁ ଏନେଇ ସ୍ଥାନୀୟ ସିୱାଇଏସଡିଠାରେ ଓଏସଡିଏ ତରଫରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଦ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀ ଯୋଗ ଦେଇ ଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ । ସେ କହିଥିଲେ ଯେ ଜଣେ ସଫଳ ବ୍ୟବସାୟୀ ହେବା ନିମନ୍ତେ ଭ୍ରମଣ କରିବାର ଆବଶ୍ୟକତା ରହିଛି । ଏହି ଯାତ୍ରାରେ ଓଡିଶାର ଆମ୍ବାସାଡର ହୋଇ ବିଭିନ୍ନ ପ୍ରାନ୍ତର ଯାତ୍ରୀଙ୍କ ସହ ମିଶି ନୂଆ କଥା ଶିଖି ଅଭିଜ୍ଞତା ହାସଲ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଏହି ଯାତ୍ରାରେ ପ୍ରାୟ ୧୫ଦିନ ଟ୍ରେନରେ ୮,୦୦୦ କିଲୋମିଟର ରାସ୍ତା ଅତିକ୍ରମ କରି ୪୫୦ ଯାତ୍ରୀ ୧୨ଟି ସହର ପରିଭ୍ରମଣ କରିବେ । ୨୪ ଡିସେମ୍ବରରୁ ମୁମ୍ବାଇରୁ ଦେଶର ଅନ୍ୟ ପ୍ରାନ୍ତର ଉଦ୍ୟୋଗୀମାନଙ୍କ ସହ ମିଶି ଏହି ଯାତ୍ରା ଆରମ୍ଭ ହେବ । ସୂଚନା ଥାଉ କି ସାରା ଭାରତରୁ ୧୫,୦୦୦ ଆଶାୟୀ ଏଥି ନିମନ୍ତେ ଆବେଦନ କରିଥିଲେ । ସେଥିମଧ୍ୟରୁ କେବଳ ୪୫୦ ଜଣଙ୍କୁ ଚୟନ କରାଯାଇଥିଲା । ତନ୍ମଧ୍ୟରୁ ୨୦ଜଣ ହେଉଛନ୍ତି ଓଡିଶାର ଉଦ୍ୟୋଗୀ ।
ଡିସେମ୍ବର ୨୪ରେ ଟାଟା ଇନଷ୍ଟିଟ୍ୟୁଟ ଅଫ ସୋସିଆଲ ସାଇନ୍ସଠାରେ ସକାଳ ଆଠଟାରେ ଏକ ଶୁଭାରମ୍ଭ କାର୍ଯ୍ୟକ୍ରମ ହେବାର ଯୋଜନା ରହିଛି । ଏହି ଜାଗ୍ରିତି ଯାତ୍ରା ଟ୍ରେନ ଜାନୁୟାରୀ ୮ରେ ପ୍ରତ୍ୟାବର୍ତ୍ତନ କରିବ । ଏହି ଯାତ୍ରା ମୁମ୍ବାଇରୁ ଆରମ୍ଭ ହୋଇ ହୁବଲି,ବେଙ୍ଗାଲୁରୁ,ମଦୁରାଇ,ଚେନ୍ନାଇ,ବିଶାଖାପାଟନମ୍,ବ୍ରହ୍ମପୁର,ରାଜଗିର,ଦେଓରିଆ,ଦିଲ୍ଲୀ,ତିଲୋନିଆ ଓ ଅହମ୍ମଦାବାଦ ସହର ଦେଇ ମୁମ୍ବାଇ ପହଞ୍ଚିବ ।
ସମସ୍ତ ଯାତ୍ରୀ ଡିସେମ୍ବର ୩୧ରେ ବ୍ରହ୍ମପୁର ପହଞ୍ଚିବା ପରେ ବ୍ରହ୍ମପୁରସ୍ଥିତ ଗ୍ରାମ ବିକାଶ ସଂସ୍ଥାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ,ଶ୍ରୀ ସଞ୍ଜୟ କୁମାର ସିଂ ସେମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ଓଡିଶାର ଏହି ଉଦ୍ୟୋଗୀମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଯାତ୍ରାର ବିଶେଷତ୍ୱ ହେଲା ଟ୍ରେନ ମଧ୍ୟରେ ହିଁ ସମସ୍ତ ପାଠ୍ୟକ୍ରମ ପ୍ରଦାନ କରାଯିବ । ସିୱାଇଏସଡିରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୀତାଞ୍ଜଳୀ ମିଶ୍ର,ସଞ୍ଜଗୀତା ମିଶ୍ର,ପ୍ରଶାନ୍ତ ବିଶ୍ୱାଳ,ଦୀପକ ସାହୁ ଓ ସୌମେନ୍ଦ୍ର ଦାସ ଉପସ୍ଥିତ ଥିଲେ ।