ଜାଣନ୍ତୁ ପୁଣି କେବେ ଆକାଶରେ ଦେଖାଯିବ ଛାଇ ଆଲୁଅର ଲୁଚକାଳି ?

0

(ମମତା ସାମଲ)ରିପୋର୍ଟସଟୁଡେ: ଶେଷ ହେଲା ସୂର୍ଯ୍ୟୋପରାଗ । ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଦେଖିଛି ସାରା ଦେଶ । ଆଉ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ପୁଣି କେବେ ଆକାଶରେ ଦେଖିବାକୁ ମିଳିବ ଛାଇ ଆଲୁଅର ଖେଳ ? ଆସନ୍ତା ୫ ବର୍ଷ ପର୍ୟ୍ୟନ୍ତ ସୂର୍ୟ୍ୟୋପରାଗର ଏହି ସ୍ୱରୂପ ପାଖାପାଖି ପ୍ରତିବର୍ଷ ଦେଖିବାକୁ ମିଳିବ । ଆସନ୍ତୁ ଜାଣିବା କେବେ କେବେ ହେବ ବଳୟ ସୂର୍ୟ୍ୟୋପରାଗ ।
ଆଜିଠୁ ଠିକ୍ ୬ ମାସ ପରେ ଅର୍ଥାତ ୨୦୨୦ ଜୁନ୍ ୨୧ ତାରିଖ ଦିନ ବଳୟ ସୂର୍ୟ୍ୟୋପରାଗ ଆଫ୍ରିକା, ଭାରତ ସମେତ ଏସିଆର ସବୁ ଦେଶରେ ଦୃଶ୍ୟମାନ ହେବ । ଏହା ସହ ଅଷ୍ଟ୍ରେଲିଆର କିଛି ସ୍ଥାନରେ ମଧ୍ୟ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ ।
୨୦୨୦ର ଠିକ୍ ଗୋଟିଏ ବର୍ଷ ପରେ ଅର୍ଥାତ ୨୦୨୧ ଜୁନ୍ ୧୦ ତାରିଖ ଦିନ ବଳୟ ଆକାଶରେ ପୁଣି ହେବ ଛାଇ ଆଲୁଅର ଖେଳ । କିନ୍ତୁ ଏଥର ଏହି ସୂର୍ୟ୍ୟୋପରାଗ ଋଷିଆ, ଆମେରିକା ସମେତ ପୃଥିବୀର ଉତ୍ତର ଭାଗରେ ଦେଖିବାକୁ ମିଳିବ । ଭାରତରେ ଏହା ଦୃଶ୍ୟମାନ ହେବାର ସମ୍ଭାବନା କମ୍ ।
୨୦୨୧ ପରେ ୨୦୨୩ ଅକ୍ଟୋବର ୧୪ ତାରିଖରେ ପୁଣିଥରେ ଦେଖିବାକୁ ମିଳିବ ବଳୟ ସୂର୍ୟ୍ୟୋପରାଗ । ଏହା କେବଳ ଆମେରିକା ଏବଂ ଲାଟିନ୍ ଆମେରିକାରେ ଦୃଶ୍ୟମାନ ହେବ ।
୨୦୨୩ ପରେ ୨୦୨୪ ଅକ୍ଟୋବର ମାସ ୨ ତାରିଖ ଅର୍ଥାତ ମହାତ୍ମା ଗାନ୍ଧିଙ୍କ ଜନ୍ମଜୟନ୍ତୀ ଦିନ ପୁଣି ଥରେ ବଳୟ ସୂର୍ୟ୍ୟୋପରାଗ ଦେଖିବାକୁ ମିଳିବ । ଏହା କେବଳ ପୃଥିବୀର ଦକ୍ଷିଣ ଭାଗରେ ଦୃଶ୍ୟମାନ ହେବ । ତେଣୁ ଭାରତରେ ଏହି ପରାଗ ଦେଖାଯିବାର ସମ୍ଭାବନା କମ୍ ଅଟେ ।