( ଭୁବନେଶ୍ୱର/ରିପୋର୍ଟସଟୁଡେ): ମାନସିକ ପୂରଣ ହେଲେ ଶ୍ରଦ୍ଧାଳୁ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିଥାନ୍ତି। ତେବେ ଏପରି ଏକ ମନ୍ଦିର ରହିଛି ଯେଉଁଠି ମାନସିକ ପୂରଣ ପରେ ଶ୍ରଦ୍ଧାଳୁ ଠାକୁରଙ୍କୁ ଝାଡୁ ଅର୍ପଣ କରିଥାନ୍ତି। ଉତ୍ତରପ୍ରଦେଶ ମୁରାଦାବାଦ୍ ଜିଲା ବିହାଜୋଇ ଗାଁରେ ରହିଛି ପାତାଳେଶ୍ୱର ମହାଦେବଙ୍କ ମନ୍ଦିର। ଏଠାରେ ବିଭିନ୍ନ ରୋଗରୁ ମୁକ୍ତି ପାଇଁ ଶ୍ରଦ୍ଧାଳୁ ମାନସିକ କରିଥାନ୍ତି। ରୋଗ ଭଲହେଲେ ଶ୍ରଦ୍ଧାଳୁ ମହାଦେବଙ୍କୁ ଝାଡୁ ଅର୍ପଣ କରିଥାନ୍ତି। ପ୍ରାୟ ୧୫୦ ବର୍ଷ ତଳେ ଏହି ପ୍ରାଚୀନ ମନ୍ଦିର ନିର୍ମାଣ ହୋଇଥିବା ସ୍ଥାନୀୟ ବାସିନ୍ଦା କୁହନ୍ତି। ଏଠାରେ ପୂର୍ବରୁ ଏକ ଆଶ୍ରମ ଥିଲା। ଥରେ ଆଶ୍ରମକୁ ଭିକାରି ଦାସ ନାମକ ଜଣେ ବ୍ୟବସାୟୀ ପାଣି ପିଇବାକୁ ଆସିଥିଲେ। ସେ ସମୟରେ ଆଶ୍ରମରେ ଥିବା ସାଧୁବାବା ଝାଡୁ କରୁଥିଲେ। ଝାଡୁ ଭିକାରିଙ୍କ ଦେଶରେ ବାଜିଥିଲା। ସେ ଅନୁଭବ କରିଥିଲେ ଯେ, ତାଙ୍କ ଶରୀରରେ ଥିବା କେତେକ ଯନ୍ତ୍ରଣା ଉପଶମ ହୋଇଯାଇଛି। ସେ ସାଧୁବାବାଙ୍କୁ ଏହାର କାରଣ ପଚାରିଥିଲେ। ବାବା କହିଥିଲେ ଏହି ଚମତ୍କାର ମହାଦେବଙ୍କ କୃପାରୁ ସମ୍ଭବ ହୋଇଛି। ଭିକାରି ଦାସ ସାଧୁଙ୍କୁ କିଛି ଭେଟି ଦେବାକୁ ନିବେଦନ କରିଥିଲେ। ସାଧୁ ଭେଟି ନେବାକୁ ମନା କହିବା ସହିତ ସେଠାରେ ଏକ ଶିବ ମନ୍ଦିର ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ ଏବଂ ମହାଦେବଙ୍କ ଝାଡୁ ଅର୍ପଣ କରାଯିବା ପରମ୍ପରା ଉପରେ ଗୁରୁତ୍ୱାରୋପ କରିଥିଲେ। ପରେ ଭିକାରି ଦାସ ସେଠାରେ ପାତାଳେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବା ସହିତ ଝାଡୁ ଅର୍ପଣ କରିବା ପରମ୍ପରା ଆରମ୍ଭ କରିଥିଲେ ବୋଲି ସ୍ଥାନୀୟ ବାସିନ୍ଦା କହିଥାନ୍ତି।