(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆମେରିକାରେ ଦୀର୍ଘ ୩୬ ଦିନର ଅଚଳାବସ୍ଥାର ସମାପ୍ତି ଶୁକ୍ରବାର ଦିନ ହୋଇଛି । ଅନୋନ୍ୟପାୟ ହୋଇ ଗଭମେଣ୍ଟ ସଟଡାଉନ ବିଲ୍ରେ ସ୍ୱାକ୍ଷର କରି ଏହି ଅଚଳାବସ୍ଥା ଶେଷ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍। ଅଚଳାବସ୍ଥାକୁ ନେଇ ଆମେରିକାରେ ପ୍ରାୟ ୮ ଲକ୍ଷ ମହାସଂଘୀୟ କର୍ମଚାରୀ ସାମୟିକ ଭାବେ କାର୍ୟ୍ୟରୁ ବାହାର ହୋଇଥିଲେ।
ସୂଚନାଯୋଗ୍ୟ, ଆମେରିକା-ମେକ୍ସିକୋ ସୀମାନ୍ତରେ ପ୍ରାଚୀର ନିର୍ମାଣ କରାଇବାକୁ ୫. ୭ ବିଲିୟନ୍ ଡଲାର୍ ଅର୍ଥ ଆବଶ୍ୟକ ହେଉଛି। ଏହି ପ୍ରାଚୀର ନିର୍ମାଣ ହେଲେ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟକୁ ବେଆଇନ ଭାବେ ପ୍ରବେଶ କରି ରହୁଥିବା ଲୋକଙ୍କୁ ଅଟକା ଯାଇପାରିବ। ଏହି ପଦକ୍ଷେପ ଟିକସଦାତାଙ୍କ ଅର୍ଥ ନଷ୍ଟ କରିବା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଡେମୋକ୍ରାଟ୍ଦଳ ବିରୋଧ କରିଆସୁଥିଲେ । ଟମ୍ପ୍ର ପ୍ରାଚୀର ନିର୍ମାଣ କରିବାକୁ କଂଗ୍ରେସ ସମର୍ଥନ କଲେ ଏହି ବିଲରେ ସ୍ୱାକ୍ଷର କରିବେ ବୋଲି ଅଡି ବସିଥିଲେ । କିନ୍ତୁ କଂଗ୍ରେସ ଏହାକୁ ସମର୍ଥନ ନ ଦେବାରୁ ବାଧ୍ୟହୋଇ ନିଜ ଜିଦରୁ ଓହରି ଆସିଥିଲେ ଓ ଗଭମେଣ୍ଟ ସଟଡାଉନ ବିଲରେ ମୋହର ଲଗାଇଥିଲେ ।