ଝାରସୁଗୁଡାରୁ ଚାଲିବ ୬ ସହରକୁ ବିମାନ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଆଜି ୩ୟ ପର୍ୟ୍ୟାୟ ଉଡାନ ସ୍କିମ ଘୋଷଣା କରାଯାଇଛି । ଏହି ସ୍କିମ ସଂପର୍କରେ ଘୋଷଣା କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତ, ଓଡ଼ିଶାର ଝାରସୁଗୁଡ଼ା ଏୟାରପୋର୍ଟକୁ ଦେଶର ୬ଟି ସହରରୁ ବିମାନ ଚଳାଚଳ କରିବ । ସେହି ସବୁ ସହରରେ ରହିଛି ଭୁବନେଶ୍ୱର, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ ଓ ରାୟପୁର । ଦିଲ୍ଲୀକୁ ସ୍ପାଇସ ଜେଟ ବିମାନ, ଭୁବନେଶ୍ୱରକୁ ଆଲିଆନ୍ସ ଓ ଟର୍ବୋ, ରାୟପୁରକୁ ଆଲିଆନ୍ସ , କୋଲକାତାକୁ ସ୍ପାଇସ ଓ ଆଲିଆନ୍ସ, ହାଇଦ୍ରାବାଦକୁ ସ୍ପାଇସ, ମୁମ୍ବାଇକୁ ଜେଟ ଓ ଏୟାର ଇଣ୍ଡିଆର ବିମାନ ଚଳାଚଳ କରିବ ।
ଅନ୍ୟପକ୍ଷରେ ଭୁବନେଶ୍ୱରର ନୂଆ ଓ ପୁରୁଣା ଏୟାରପୋର୍ଟକୁ ମିଶାଇ ଏକ ବୃହତ ଏୟାରପୋର୍ଟ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି । ଏଥିଲାଗି ବିମାନ ଚଳାଚଳ ମନ୍ତ୍ରାଳୟ ୧୦୦୦ କୋଟି ଟଙ୍କା ମଞ୍ଜୁର କରିଛି। ଭୁବନେଶ୍ୱରରୁ ତୀର୍ଥକ୍ଷେତ୍ର ବାରାଣାସୀକୁ ଫ୍ଲାଇଟ ଚାଲିବ । ଭୁବନେଶ୍ୱରକୁ ଏୟାର ଇଣ୍ଡିଆର ଶାଖା କମ୍ପାନି ଆଲାଏନ୍ସ ଏୟାର ଓ ଟର୍ବୋ ଆଭିଏସନର ବିମାନ ସେବା ଆରମ୍ଭ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଆଜି ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ୨୩୫ଟି ରୁଟ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି । ଏସବୁ ରୁଟ ପାଇଁ ଲାଇସେନ୍ସ ପାଇଥିବା ବିମାନସେବା କମ୍ପାନିମାନେ ହେଲେ ସ୍ପାଇସ୍ ଜେଟ, ଇଣ୍ଡିଗୋ, ଜେଟ ଏୟାରେଓ୍ଵଜ, ଏୟାର ଇଣ୍ଡିଆର ଶାଖା କମ୍ପାନି ଆଲାଏନ୍ସ ଏୟାର ଓ ଟର୍ବୋ ଆଭିଏସନ ।