(ଭୁବନେଶ୍ୱର /ରିପୋର୍ଟସଟୁଡେ): ପାରାଦ୍ୱୀପ -କେନ୍ଦ୍ରାପଡା ରାସ୍ତାରେ ଟାଟା ମେଜିକ ଭ୍ୟାନ ସହ ଟ୍ରକ ଧକ୍କା ହୋଇଛି । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି ।
କେତେକ ଶ୍ରମିକଙ୍କୁ ବସାଇ ଟାଟା ମେଜିକ୍ ଭ୍ୟାନ୍ଟି ପାରଦ୍ୱୀପ ଅଭିମୁଖେ ଯାଉଥିଲା। ଭୂତମୁଣ୍ଡେଇ ଠାରୁ ପ୍ରାୟ ୧୦/୧୫ କିଲୋମିଟର ଦୂର ମାର୍ଶାଘାଇ ଅଞ୍ଚଳର ଟିକରପଙ୍ଗା ଛକ ଠାରେ ଟ୍ରକ୍ଟି ଟାଟା ମେଜିକ୍ର ପଛଆଡ଼େ ଧକ୍କା ଖାଇଥିଲା।
ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା ଓ ବାକି ୪ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଆମ୍ବୁଲାନ୍ସ୍ ଯୋଗେ ତୁରନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।
ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଛାଡ଼ ତା’ର ଡ୍ରାଇଭର୍ ଘଟଣାସ୍ଥଳରୁ ଖସି ପଳାଇଛି।
ଘଟଣା ପରେ ପରେ ଲୋକେ ଉତ୍ତ୍ୟକ୍ତ ହୋଇ ପ୍ରତିବାଦ ପ୍ରଦର୍ଶନ ପୂର୍ବକ ପୁରୁଣା ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି। ଏବେ ମଧ୍ୟ ସେଠାରେ ରାସ୍ତା ଅବରୋଧ ଓ ଉତ୍ତେଜନା ଲାଗିରହିଛି। ଖବର ପାଇ ମାର୍ଶାଘାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।