(ସେଖ ଫାଇଜନା କାଦରୀ / ଭଦ୍ରକ): ଭଦ୍ରକ କଲେଜ ରୋଡ଼ ସ୍ଥିତ ଏକ ଘରୋଇ ନର୍ସିଙ୍ଗ ହୋମରେ ଡାକ୍ତର ଓ ନର୍ସଙ୍କ ଅବହେଳାରୁ ଚିକିସ୍ୟା ପାଇଁ ଆସିଥିବା ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସନ୍ତାନ ଜନ୍ମର ୨ ଦିନ ପରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଘରୋଇ ନର୍ସିଂ ହୋମରେ ଦେଖାଦେଇଛି ଉତ୍ତେଜନା। ସୂଚନା ଯୋଗ୍ୟ ଯେ ଭଦ୍ରକ ସହରର ଜିଲ୍ଲା ପୁଲିସ୍ କାର୍ୟ୍ୟାଳୟ ନିକଟରେ ଥିବା ଏକ ଘରୋଇ ନର୍ସିଂହୋମ ନାମରେ ଏପରି ସାଂଘାତିକ ଅଭିଯୋଗ ଆସିଛି । ତିହିଡି ଥାନା କୋହ୍ଲ ଅଞ୍ଚଳର ଅର୍ଚ୍ଚନା ନାମ୍ନୀ ଗର୍ଭବତୀଙ୍କୁ ପ୍ରସବ ପାଇଁ ଏହି ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ସେଠାରେ ୮ ତାରିଖରେ ସେ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ।ନବଜାତ ଶିଶୁ କନ୍ୟା ସୁସ୍ଥ ଥିବା ବେଳେ ଏହାପରେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଲ। ପରିବାର ଲୋକେ କହିବା ସତ୍ତ୍ୱେ ଠିକ ଚିକିତ୍ସା ସୁବିଧା ମିଳି ନ ଥିବା ଅଭିଯୋଗ କରିଛନ୍ତି। ଏପରିକି କଟକ ରେଫର କରିବାକୁ କହିବା ସତ୍ତ୍ୱେ ଡାକ୍ତର ଛାଡ଼ି ନ ଥିଲେ। ଫଳରେ ଚିକିତ୍ସାରେ ଅବହେଳା ହେବା ଯୋଗୁ ଅର୍ଚ୍ଚନାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ପରିବାର ଲୋକେ ଭଦ୍ରକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଟାଉନ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।