ଡାହଣି ସନ୍ଦେହରେ ମାଆ ଓ ଝିଅଙ୍କୁ ହତ୍ୟା କଲେ ଗ୍ରାମବାସୀ

0

(ତ୍ରିଲୋଚନ ରାଉତ/ରିପୋର୍ଟରସ ଟୁଡେ): ବଣାଇଁ ଉପଖଣ୍ତ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଗାଈଡେଗା ଗାଁର ରାବଣଝୋଲା ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ମାଆ ଓ ଝିଅଙ୍କୁ ଡାହଣି ସନ୍ଦେହରେ ହତ୍ୟା କଲେ ଗ୍ରାମବାସୀ । ମାଆ ଓ ଝିଅଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରାଯିବା ଘଟଣାରେ ପୁଲିସ ଗାଁର ୬ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଫେରାର୍ ହୋଇଯାଇଛି। ତେବେ ମୃତ ଶିଶୁର ଶବ ଏପର୍ୟ୍ୟନ୍ତ ଉଦ୍ଧାର ହୋଇନାହିଁ।ଅନ୍ଧବିଶ୍ବାସ ଓ କୁସଂସ୍କାର ପାଇଁ ରାବଣଝୋଲା ଡବଲ୍ ମର୍ଡର। ଗାଁର ଜଣେ ବାଳକଙ୍କ ମୃତ୍ୟୁ ପାଇଁ ଗ୍ରାମବାସୀଙ୍କ ପ୍ରଜାକୋର୍ଟ ମହିଳାଙ୍କୁ ଡାହାଣୀ ବୋଲି ଦାୟୀ କରି ମୃତ୍ୟୁଦଣ୍ଡ ଦେଇଥିଲେ।
ସୂଚନା ଅନୁସାରେ, ରାବଣଝୋଲାର ବୁଦ ଏକ୍କା ସପରିବାର କେରଳ ରାଜ୍ୟକୁ କାମ କରିବାକୁ ଯାଇଥିଲେ। ମାସକ ପୂର୍ବେ ସେମାନେ ଗାଁକୁ ଫେରିବା ପରେ ତାଙ୍କ ପୁଅ ସାନିକା ଏକ୍କା ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲା। ଗାଁର ବିର୍ସା କେର୍କେଟା (୩୨)ଙ୍କ ପତ୍ନୀ ଗାଙ୍ଗି କେର୍କେଟା(୨୮) ଡାହାଣୀ ବିଦ୍ୟା ପ୍ରୟୋଗ କରି ତାକୁ ମାରି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ। ଗତ ୯ ତାରିଖ ସନ୍ଧ୍ୟାରେ ଗାଁରେ ସାରନା ପୂଜା ହେବା ପରେ ସମସ୍ତେ ଭୋଗ ଖାଇଥିଲେ। ଏଥିରେ ବିର୍ସା, ଗାଙ୍ଗି ଏବ˚ ତାଙ୍କର ୫ବର୍ଷର ଶିଶୁକନ୍ୟା ଶିବାନୀ ମଧ୍ୟ ଉପସ୍ଥିତ ରହିଥିଲେ। ପ୍ରସାଦ ଖାଇସାରି ବିର୍ସା ଓ ତାଙ୍କ ପରିବାରର ସମସ୍ତେ ନିଜ ଘରକୁ ଚାଲିଯାଇଥିଲା। ଏହାପରେ ଗାଁ ମଝିଦାଣ୍ତରେ ପ୍ରଜାକୋର୍ଟ ବସି ଗାଙ୍ଗିଙ୍କର ବିଚାର ହୋଇଥିଲା। ସେ ଡାହାଣୀ ହୋଇଥିବାରୁ ତାକୁ ଜୀବନରୁ ନ ମାରିଲେ ଗ୍ରାମରେ ଆହୁରି ଅନିଷ୍ଟ ହେବ ବୋଲି କେତେକ ମତ ଦେଇଥିଲେ। ତେଣୁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେଦିନ ସନ୍ଧ୍ୟା ପ୍ରାୟ ସାଢେ ୮ଟା ବେଳେ ଗାଁର କିଛି ଲୋକ ବିର୍ସାଙ୍କ ଘରେ ପଶି ଗାଙ୍ଗି ଓ ତାଙ୍କ ଝିଅ ଶିବାନୀକୁ ଘର ଭିତରୁ ଉଠାଇ ନେଇଥିଲେ। ସେମାନେ ଗାଁ ଦାଣ୍ଡରେ ଉଭୟଙ୍କୁ ଟାଣି ଟାଣି ନେଇ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଦେଇଥିଲେ। ରାତି ୧୦ଟା ପର୍ୟ୍ୟନ୍ତ ତାଙ୍କୁ ଜଣ ପରେ ଜଣେ ଅତ୍ୟନ୍ତ ଅମାନୁଷିକ ଭାବେ ପିଟି ଚାଲିଥିଲେ। ଜୀବନ ବଞ୍ଚାଇବା ପାଇଁ ଗାଙ୍ଗୀ ନିଜକୁ ନିର୍ଦ୍ଦୋଷ ବୋଲି କହି ଛାଡ଼ି ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ବି କେହି ତାଙ୍କ କଥା ଶୁଣି ନଥିଲେ। ଏପରିକି ଭୟରେ ତାଙ୍କ ସ୍ବାମୀ ବିର୍ସା ପତ୍ନୀକୁ ବଞ୍ଚାଇବା ପାଇଁ ଆସି ନଥିଲେ। ଲୋକେ ଏପରି ରକ୍ତମୁଖା ହୋଇଥିଲେ ଯେ ମାଆ ସହିତ ୫ ବର୍ଷର ଶିଶୁ କନ୍ୟାକୁ ମଧ୍ୟ ପିଟି ପିଟି ମାରି ଦେଇଥିଲେ। ମାଆ ଓ ଝିଅଙ୍କ ମୃତ୍ୟୁ ହେବା ପରେ ଦୁଇଟି ପ୍ଳାଷ୍ଟିକ୍ ଅଖାରେ ମୃତ ଦେହ ଭର୍ତ୍ତି କରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ନିକଟସ୍ଥ ବ୍ରାହ୍ମଣୀ ନଦୀର ପ୍ରଖର ସ୍ରୋତରେ ଭସାଇ ଦେଇଥିଲେ। ଏହି ଘଟଣା ପରେ ସେଦିନ ରାତିରେ ବିର୍ସା ଘର ଛାଡ଼ି ନିକଟସ୍ଥ ଜଙ୍ଗଲକୁ ଯାଇ ଆତ୍ମଗୋପନ କରିଥିଲେ। ପର ଦିନ ସକାଳେ ସେ ଲାଠିକଟା ଥାନାର ପାଣ୍ତିରୀପଥର ଗ୍ରାମକୁ ଯାଇ ନିଜ ସମ୍ପର୍କୀୟ ଚୁମନ ଟିଗାଙ୍କୁ ହତ୍ୟାକାଣ୍ତ ସମ୍ପର୍କରେ କହିଥିଲେ। ଚୁମନ ଚାନ୍ଦିପୋଷ ଥାନାକୁ ଫୋନରେ ସୂଚନା ଦେଇଥିଲେ। ପୋଲିସ ନିଜ ଆଡୁ ଏକ ମାମଲା ରୁଜୁକରି ବ୍ରାହ୍ମଣୀନଦୀର ତଳମୁଣ୍ତରେ ଖୋଜାଖୋଜି କରି ଗତକାଲି ସନ୍ଧ୍ୟାରେ ଦର୍ଜି˚ ନିକଟସ୍ଥ ଶିବ ମନ୍ଦିର ଘାଟରେ ଗାଙ୍ଗିଙ୍କ ଶବକୁ ଉଦ୍ଧାର କରିଥିଲା।