ଦରକାର ହେଲେ ଅଖିଳେଶଙ୍କୁ ସମର୍ଥନ କରିବୁ: ପ୍ରିୟଙ୍କା

0

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ନିର୍ବାଚନରେ କଂଗ୍ରେସ ଅନ୍ୟ ଦଳ ସହ ମେଣ୍ଟ ନ କରି ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଥିଲା । ଦଳ ଏକାକୀ ଲଢି ବିଜୟ ହାସଲ କରିବ ବୋଲି ଦୃଢୋକ୍ତି ମଧ୍ୟ ପ୍ରକାଶ କରିଥିଲା । ହେଲେ ଶନିବାର ଆସିଛି ନୂଆ ଟ୍ୱିଷ୍ଟ । ପ୍ରିୟଙ୍କା କହିଛନ୍ତି, ସରକାର ଗଠନ କରିବାକୁ ଅଖିଳେଶଙ୍କୁ ଆସନ ନିଅଣ୍ଟ ପଡିଲେ କଂଗ୍ରେସ ସମର୍ଥନ ଜଣାଇବ । ତେବେ ଏଥିପାଇଁ ଅଖିଳେଶଙ୍କୁ କଂଗ୍ରେସର ଏକ ସର୍ତ୍ତ ମାନିବାକୁ ପଡିବ । କଂଗ୍ରେସର ସର୍ତ୍ତ, ଯୁବ ଓ ମହିଳାଙ୍କ ପାଇଁ କଂଗ୍ରେସ ପ୍ରସ୍ତୁତ କରିଥିବା ଏଜେଣ୍ଡା ପୂରା କରିବାକୁ ହେବ ବୋଲି ପ୍ରିୟଙ୍କା କହିଛନ୍ତି ।

ଶନିବାର ନ୍ୟୁଜ ୨୪କୁ ଏକ ସାକ୍ଷାତକାର ଦେବା ବେଳେ ପ୍ରିୟଙ୍କା କହିଛନ୍ତି, ତାଙ୍କ ପାର୍ଟି ନିର୍ବାଚନ ପରେ ସପା ସହ ମେଣ୍ଟକୁ ସ୍ୱୀକାର କରୁଛି । ତାଙ୍କୁ ପଚରାଯାଇଥିଲା ଯେ, ଯଦି ଦରକାର ହୁଏ ସବୁ ଦଳ ଏକାଠି ହୋଇ ଅଖିଳେଶଙ୍କୁ ସମର୍ଥନ କରିବେ କି? ପ୍ରିୟଙ୍କାଙ୍କ ଉତ୍ତର ଥିଲା, ଏମିତି ସ୍ଥିତି ସୃଷ୍ଟି ହେଲେ କୌଣସି ସମସ୍ୟା ହେବା ପରି ଲାଗୁନାହିଁ । ଯଦି ଅଖିଳେଶଙ୍କୁ କିଛି ସିଟର କମି ପଡିବ ତେବେ ଆମେ ସମର୍ଥନ ଦେବୁ । କିନ୍ତୁ ଏଥିପାଇଁ କଂଗ୍ରେସର ସର୍ତ୍ତକୁ ଅଖିଳେଶଙ୍କୁ ମାନିବାକୁ ହେବ ।