ଦଳ ପୂର୍ଣ୍ଣ କେନାଲରେ ପଡି ୨ ଶିଶୁଙ୍କ ମୃତ୍ୟୁ
ପ୍ରଶାନ୍ତ କୁମାର ସ୍ଵାଇଁ/ ପାରାଦ୍ଵୀପ: ପାରାଦ୍ଵୀପ ଅଠରବାଙ୍କି ଲକପଡା ବସ୍ତିରେ ଘଟିଛି ଏକ ଅଭାବନୀୟ ଘଟଣା। ଖେଳୁଥିବା ବେଳେ ତାଳଦଣ୍ଡା କେନାଲରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି । ମୃତ ଶିଶୁଙ୍କ ମଧ୍ୟରେ ଜଣେ ଝିଅ ଓ ଜଣେ ପୁଅ ରହିଛନ୍ତି । ଉଭୟଙ୍କ ବୟସ ୪ ବର୍ଷ । ଖବରରୁ ଜଣାପଡିଛି, ଲକପଡା ବସ୍ତୀରେ ନୃସିଂହ ମିସ୍ତ୍ରୀ ଓ ବୁଦ୍ଧଦେବ ଦାସଙ୍କ ପରିବାର ବସବାସ କରନ୍ତି । ଆଜି ସକାଳୁ ନୃସିଂହଙ୍କ ୪ ବର୍ଷର ପୁଅ ଓ ବୁଦ୍ଧଦେବ ଦାସଙ୍କ ୪ ବର୍ଷ ର ଝିଅ ତାଳଦଣ୍ଡା କେନାଲ ବନ୍ଧ ରେ ଖେଳୁଥିଲେ । ଖେଳୁଥିବା ବେଳେ କୌଣସି କାରଣରୁ କେନାଲରେ ପଡିଯାଇଥିଲେ । ଉଭୟଙ୍କ ଶରୀର ଦଳ ଭିତରେ ଭାସୁଥିବା କେହି ଦେଖିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ସେଠାରୁ ସେମାନଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାକୁ ନେଇ ଡାକ୍ତରଖାନା ପରିସର ଓ ଲକ୍ ପଡା ବସ୍ତି ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଏହି କେନାଲରେ ଦଳ ପାଇଁ ଆଗରୁ ମଧ୍ୟ ଅନେକଙ୍କ ଜୀବନ ଯାଇଥିବା ଅଭିଯୋଗ କରନ୍ତି ସ୍ଥାନୀୟ ବାସିନ୍ଦା ।